ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଭାରତର ସିକିମ୍‌ ଓ ଆଫଗାନିସ୍ତାନର ଫୈଜାବାଦ୍‌ରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Advertisment

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିବା ଅନୁସାରେ, ପ୍ରତ୍ୟୁଷ ପ୍ରାୟ ୪.୧୫ରେ ସିକିମ୍‌ର ଉତ୍ତରପୂର୍ବାଞ୍ଚଳସ୍ଥିତ ୟୁକ୍‌ସୋମ୍‌ରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ସେହିପରି, ଆଜି ସକାଳେ ଆଫଗାନିସ୍ତାନର ଫୈଜାବାଦ୍‌ରେ ମଧ୍ୟ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ରିପୋର୍ଟ କରିଛି। ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଆଫଗାନିସ୍ତାନର ଉତ୍ତରପୂର୍ବାଞ୍ଚଳ ନଗରୀ ଫୈଜାବାଦ୍‌ର ଦକ୍ଷିଣପୂର୍ବକୁ ପ୍ରାୟ ୧୦୦ କିଲୋମିଟର ଦୂର। ଭୂଗର୍ଭର ୧୩୫ କିଲୋମିଟର୍‌ ଅଭ୍ୟନ୍ତରରେ ସକାଳ ୬.୪୭ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।

publive-image Image Courtesy of India Today

ଉଲ୍ଲେଖଯୋଗ୍ୟ, ରବିବାର ଅପରାହ୍ଣରେ ଭାରତୀୟ ପ୍ରଦେଶ ଆସାମର ନାଗାଓଁରେ ୪.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ଏହାର ଦିନକ ଆଗରୁ ଗୁଜରାଟର ସୁରତ ଜିଲ୍ଲାରେ ମଧ୍ୟ ୩.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଏହାଛଡ଼ା, ରବିବାର ମଧ୍ୟରାତ୍ରରେ ଭୂକମ୍ପ ପ୍ରପୀଡ଼ିତ ତୁର୍କୀର କାରାମାନ୍‌ମାରସ୍‌ ନଗରୀରେ ପୁଣି ଥରେ ଭୂଗର୍ଭର ୧୫.୭ କିଲୋମିଟର୍‌ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଜିଓଲୋଜିକାଲ୍‌ ସର୍ଭେ’ ରିପୋର୍ଟ କରିଛି।

କିନ୍ତୁ, ଉପରୋକ୍ତ ଭୂମିକମ୍ପଗୁଡ଼ିକ ଯୋଗୁଁ କେହି ମୃତାହତ କିଂବା କିଛି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ।