ନୂଆଦିଲ୍ଲୀ: ଅର୍ଗାନାଇଜେସନ ଫର୍ ଇକୋନୋମିକ୍ କୋଅପରେସନ ଆଣ୍ଡ୍ ଡେଭଲପମେଣ୍ଟ (ଓଇସିଡି) ଦେଶଗୁଡ଼ିକୁ ୨୦୨୦ରେ ୪.୪ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଇଛନ୍ତି। ଯେଉଁ ଦେଶକୁ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯାଆନ୍ତି ସେଠାକାର ଶ୍ରମଶକ୍ତିରେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ସାମିଲ ହୋଇଥାନ୍ତି।
ଓଇସିଡି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି ଯେ ଫ୍ରାନ୍ସ ଓ ଇଟାଲିକୁ ଯେତିକି ଛାତ୍ରଛାତ୍ରୀ ପଢ଼ିବାକୁ ଯାଇଛନ୍ତି ସେଥିରୁ ପାଖାପାଖି ଅଧା ସେମାନଙ୍କ ଦେଶରେ ଚାକିରି କରିଛନ୍ତି। ଜାପାନରେ ଏମାନଙ୍କ ସଂଖ୍ୟା ପ୍ରାୟ ଏକ ତୃତୀୟାଂଶ ରହୁଛି। ଯୁକ୍ତରାଷ୍ଟ୍ର ଆମେରିକାରେ ପୂର୍ବର ଏଫ୍-୧ (ଛାତ୍ର ଭିସା)ଧାରୀମାନଙ୍କ ମଧ୍ୟରୁ ୫୭ ପ୍ରତିଶତ ଏଚ୍-୧ବି ଭିସା ହାସଲ କରିଛନ୍ତି। ଅର୍ଥାତ୍ ସେମାନେ କୁଶଳୀ ଶ୍ରମିକଭାବେ ସେଠାରେ କାର୍ଯ୍ୟ କରୁଛନ୍ତି। ୨୦୨୦ରେ ଓଇସିଡି ଦେଶଗୁଡ଼ିକରେ ୪୪ ଲକ୍ଷ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ନାମ ଲେଖାଇଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ମୋଟ ଛାତ୍ରଙ୍କୁ ଦେଖିଲେ ଏମାନଙ୍କ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ। ଏଥିରେ ଚୀନ ଏବଂ ଭାରତର ଯୋଗଦାନ ସର୍ବାଧିକ ରହିଛି। ଇଣ୍ଟରନ୍ୟାସନାଲ ମାଇଗ୍ରେସନ ଆଉଟଲୁକ ୨୦୨୨ ରିପୋର୍ଟରୁ ଜଣାଯାଇଛି ଚୀନରୁ ୯.୭ ଲକ୍ଷ (୨୨ ପ୍ରତିଶତ) ଏବଂ ଭାରତରୁ ପାଖାପାଖି ୪.୪ ଲକ୍ଷ (୧୦ ପ୍ରତିଶତ) ଛାତ୍ରଛାତ୍ରୀ ଓଇସିଡି ଦେଶଗୁଡ଼ିକୁ ପଢ଼ିବାକୁ ଯାଇଛନ୍ତି।
ଯେଉଁସବୁ ଦେଶକୁ ସବୁଠୁ ଅଧିକ ସଂଖ୍ୟକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ପଢ଼ିବାକୁ ଯାଉଛନ୍ତି ସେଥିରେ ଆମେରିକାକୁ ୨୨ ପ୍ରତିଶତ, ବ୍ରିଟେନକୁ ୧୩ ପ୍ରତିଶତ, ଅଷ୍ଟ୍ରେଲିଆକୁ ୧୦ ପ୍ରତିଶତ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ଓଇସିଡିରେ ୩୮ଟି ଦେଶ ସଦସ୍ୟ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୧ରେ ଓଇସିଡିର ସଦସ୍ୟ ଦେଶଗୁଡ଼ିକରେ ୨୩ ଲକ୍ଷ ଲୋକ ନାଗରିକତା ଗ୍ରହଣ କରିଛନ୍ତି। ୨୦୨୦ ତୁଳନାରେ ଏହା ୨୦ ପ୍ରତିଶତ ଅଧିକ। ୨୦୨୦ରେ ୧୯ ଲକ୍ଷ ଲୋକ ନାଗରିକତା ଗ୍ରହଣ କରିଛନ୍ତି। କରୋନା ମହାମାରୀ ପୂର୍ବରୁ ୨୦୧୯ରେ ଓଇସିଡିରେ ନାଗରିକତା ଗ୍ରହଣ କରିଥିବା ଲୋକଙ୍କ ସଂଖ୍ୟା ୨୨ ଲକ୍ଷ ରହିଥିଲା।