ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି।

Advertisment

ସୂଚନା ଅନୁସାରେ, ଭୋର୍‌ ୫.୩୮ ମିନିଟ୍‌ରେ ଜମ୍ମୁ ଓ କଶ୍ମୀରର ଡୋଡ଼ା ଜିଲ୍ଲାରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ଟୁଇଟ୍‌ କରି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଟୁଇଟ୍‌ କରିଛି, ଅକ୍ଷାଂଶ ୩୩.୧୫ ଓ ଦ୍ରାଘିମା ୭୫.୬୮ ଅନ୍ତର୍ଗତ ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଭୋର୍‌ ୦୫:୩୮:୫୪ରେ ୪.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।

ଏହା ପୂର୍ବରୁ ରବିବାର ରାତିରେ ଭାରତର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୫.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂଗର୍ଭର ୭୦ କିଲୋମିଟର୍‌ ଗଭୀରରେ ରାତି ପ୍ରାୟ ୭.୩୯ରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।

ସେହିପରି, ରବିବାର ଦିନ ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ମଧ୍ୟ ୫.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ବୋଲି ‘ୟୁନାଇଟେଡ୍‌ ଷ୍ଟେଟସ୍‌ ଜିଓଲୋଜିକାଲ୍‌ ସର୍ଭେ’ (ୟୁଏସ୍‌ଜିଏସ୍‌) ରିପୋର୍ଟ କରିଛି। ଭୂଗର୍ଭର ୫୪.୨ କିଲୋମିଟର୍‌ ଅଭ୍ୟନ୍ତରରେ ସନ୍ଧ୍ୟା ୫.୩୦ରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।

ଶନିବାର ରାତି ୧୨.୧୪ରେ ମଣିପୁରର ଉଖ୍ରୁଲ୍‌ ଜିଲ୍ଲା ନିକଟରେ ମଧ୍ୟ ୩.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୭୦ କିଲୋମିଟର୍‌ ଅଭ୍ୟନ୍ତରରେ।