ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପ୍ୱାଡ଼ା ଜିଲ୍ଲା ଅନ୍ତର୍ଗତ ହଣ୍ଡ୍ୱାରା ସହରରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଚାଲିଥିବା ଭୀଷଣ ଗୁଳି ବିନିମୟ ପ୍ରାୟ ୮ ଘଣ୍ଟା ପରେ ଶେଷ ହୋଇଛି। ଏହି ଗୁଳିବିନିମୟ ସମୟରେ ଜଣେ କର୍ଣ୍ଣେଲ୍, ଜଣେ ମେଜର୍ ଏବଂ ସେନାବାହିନୀର ଦୁଇ ଜଣ ଯବାନ ଓ ଜଣେ ପୁଲିସ ସବ୍-ଇନ୍ସ୍ପେକ୍ଟର୍ ସହିଦ ହୋଇଛନ୍ତି।
ଶନିବାର ଅପରାହ୍ଣରୁ ଚାଲିଥିବା ଏହି ଏନ୍କାଉଣ୍ଟର୍ରେ ନିହତ ବ୍ୟକ୍ତିମାନେ ହେଉଛନ୍ତି କର୍ଣ୍ଣେଲ୍ ଆଶୁଦତୋଷ ଶର୍ମା, ମେଜର ଅଞ୍ଜୁ, ଜଣେ ଲାନ୍ସ୍ ନାଏକ, ଜଣେ ରାଇଫଲ୍ମ୍ୟାନ୍ ଏବଂ ପୁଲିସ ସବ୍-ଇନ୍ସପେକ୍ଟର୍ ଶକୀଲ୍ କାଜି। ଘଟଣାସ୍ଥଳରୁ ସେମାନଙ୍କର ଶବ ଉଦ୍ଧାର କରାଯାଇଛି।
ସମ୍ପୃକ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ଭାରତୀୟ ସେନାବାହିନୀ ସିନ୍ଦୂରା ଫାଟିବା ବେଳକୁ ଚୂଡ଼ାନ୍ତ ଆକ୍ରମଣ କରିଥିଲେ। ମିଳିଥିବା ରିପୋର୍ଟ ଅନୁସାରେ, ଭୋର୍ ପ୍ରାୟ ୩: ୩୦ ମିନିଟ୍ରେ ହଣ୍ଡୱାରାର ଚାଞ୍ଜମୁଲ୍ଲା ଠାରେ ହୋଇଥିବା ଏହି ଏନ୍କାଉଣ୍ଟର୍ରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ଦ୍ବାର ଦ୍ବାର ବୁଲି ତଲାସ କରାଯାଇଥିଲା।
ପ୍ରାଥମିକ ସୂଚନା ଅନୁସାରେ, ଏକ ପଣବନ୍ଦୀ ବା ମୁଣ୍ଡଜାମିନ ଭଳି ପରିସ୍ଥିତି ଏଡ଼ାଇବାକୁ ରାଷ୍ଟ୍ରୀୟ ରାଇଫଲ୍ର ଏକ ଦଳ ଜଣେ ସାଧାରଣ ନାଗରିକଙ୍କ ଘରେ ପ୍ରବେଶ କରିଥିଲା ବେଳେ ସେମାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେ ଘରେ ବାସ କରୁଥିବା ସାଧାରଣ ନାଗରିକମାନଙ୍କୁ ନିରାପଦରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।