କୋଲକାତାରୁ ଗିରଫ ହେଲେ ୪ ଆତଙ୍କବାଦୀ, ଆଇଏସ ସହ ସମ୍ପୃକ୍ତି ନେଇ ସନ୍ଦେହ

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଘଟଣା ବଢିଚାଲିଥିବାବେଳେ ୪ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି | ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କଫୋର୍ସ ଏମାନଙ୍କୁ ଗିରଫ କରିଥିବାବେଳେ ତିନିଜଣ ସଦସ୍ୟ ବାଙ୍ଗଲାଦେଶର ହୋଇଥିବାବେଳେ ଜଣେ ଭାରତୀୟ ବୋଲି ଜଣାପଡିଛି | ଏମାନଙ୍କର ସମ୍ପୃକ୍ତି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ସହ ଥିବାର ସନ୍ଦେହ କରାଯାଉଛି | କୋଲକାତା ଏସଟିଏଫ ପକ୍ଷରୁ କୁହାଯାଇଛି ଯେ ବାଙ୍ଗଲାଦେଶର ଜମାତ-ଉଦ- ଦାବା ସହ ଏହି ଆତଙ୍କବାଦୀଙ୍କର ସମ୍ପର୍କ ରହିଛି |

କୋଲକାତା ପୁଲିସର ସ୍ପେଶାଲ ଟାସ୍କଫୋର୍ସ ସୀଲଦା ରେଳଷ୍ଟେସନ ପରିସରରୁ ଏମାନଙ୍କୁ ଗିରଫ କରାଯାଇଥିବାବେଳେ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି | ମିଳିଥିବା ସୂଚନା ଅନୁସାରେ ଭାରତରେ ବେଆଇନ ଭାବରେ ରହି ନିଜ ସଙ୍ଗଠନକୁ ବୃଦ୍ଧି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ | ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାମ ହେଉଛି ଜାହିର ଅବାସ, ମୋମୁନର ରସିଦ, ମୋହମଦ ସାହିନ ଓ ରବିଉଲ ଇସଲାମ | ତେବେ ଏମାନଙ୍କର ଯୋଜନା କଣ ଥିଲା ତାହାକୁ ନେଇ ଏସଟିଏଫ ପଚରାଉଚୁରା କରୁଛି |

କାରଣ ଏମାନଙ୍କ ନିକଟରୁ ଜିହାଦି ସମ୍ପର୍କିତ କାଗଜପତ୍ର ସହ ପୁସ୍ତିକା ଜବତ କରାଯାଇଛି | କିଛି ଦିନ ଧରି ବୀରଭୂମ ଅଞ୍ଚଳରେ ଆଇଏସ ସପକ୍ଷରେ ଫେସବୁକ ପୋଷ୍ଟ କରାଯାଉଥିଲା | ଯାହାକୁ ନେଇ ଏସଟିଏଫର ସନ୍ଦେହ ବଢିଥିଲା | ପରେ ଏମାନଙ୍କ ଉପରେ ନଜର ରଖାଯାଇ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର