ଅମ୍ବାଲା : ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ଉପରେ ଆକ୍ରମଣ ଅଭିଯୋଗରେ ପୁଲିସ ୪ ଯୁବକଙ୍କୁ ଗିରଫ କରିଛି। ହରିୟାଣାର ଅମ୍ବାଲାରୁ ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରାଯାଇଛି । ସେମାନଙ୍କ ନାମ ଲବିଶ, ଆକାଶ ଓ ପୋପଟ ଓ ବିକାଶ । ପ୍ରଥମ ୩ ଜଣ ରଣଖଣ୍ଡି ଗ୍ରାମର ବାସିନ୍ଦା ହୋଇଥିବାବେଳେ ବିକାଶ ହରିୟାଣାର କର୍ନାଲର ଗୋଣ୍ଡର ଗାଁର ବାସିନ୍ଦା । ସେମାନଙ୍କୁ ଏବେ ପଚରାଉଚୁରା ଜାରି ରହିଛି ।
ଅମ୍ବାଲା ଏସଟିଏଫ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ସେମାନଙ୍କ ନିକଟରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ ବୋଲି ଡିଏସପି ଅମନ କୁମାର କହିଛନ୍ତି । ସେମାନଙ୍କୁ ଉତ୍ତରପ୍ରଦେଶ ପୁଲିସକୁ ହସ୍ତାନ୍ତର କରାଯାଇଛି ।
ଗତ ବୁଧବାରଦିନ ଆକ୍ରମଣକାରୀ ବ୍ୟବହାର କରିଥିବା ଗାଡ଼ି ଜବତ ହେବା ପରେ ଉତ୍ତରପ୍ରଦେଶ ପୁଲିସ ୩ ସଂଦିଗ୍ଧଙ୍କୁ ଅଟକ ରଖିଥିଲା ।
ଗତ ବୁଧବାରଦିନ ୟୁପିର ସାହାରନପୁରରେ ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା । ସେମାନଙ୍କୁ କେତେକ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିଲେ । ତେବେ ଗୁଳି ତାଙ୍କ ଅଣ୍ଟାକୁ ଛୁଇଁ ବାହାରି ଯାଇଥିବାରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । ଡାକ୍ତରଖାନାରେ ତାଙ୍କୁ ଗୋଟିଏ ଦିନ ରଖାଯିବା ପରେ ଛାଡ଼ିଦିଆଯାଇଥିଲା । ଏହି ଆକ୍ରମଣ ସମୟରେ କାରରେ ଚନ୍ଦ୍ରଖେଖରଙ୍କ ଭାଇଙ୍କ ସେମେତ ମୋଟ ୫ ଜଣ ଥିଲେ ।