କେଜ୍ରିଓ୍ଵାଲଙ୍କ ସପକ୍ଷରେ ୪ ମୁଖ୍ୟମନ୍ତ୍ରୀ

ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରୁଛି କେନ୍ଦ୍ର, ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ପ୍ରଶାସନିକ ଅଚଳାବସ୍ଥାକୁ ଦୂର କରିବା ପାଇଁ ତମାମ୍‌ ବିରୋଧୀ ଦଳ ନେତା ଏକଜୁଟ ହୋଇଛନ୍ତି। ଆସନ୍ତାକାଲି ନିତି ଆୟୋଗର ବୈଠକରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିବା ୪ ଅଣ ବିଜେପି ମୁଖ୍ୟମନ୍ତ୍ରୀ ଆଜି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ପ୍ରଥମେ ଉପ ରାଜ୍ୟପାଳ ଅନିଲ ବୈଜଲଙ୍କୁ ଚିଠି ଲେଖି ତାଙ୍କ ଦପ୍ତରରେ ଅନଶନରେ ବସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ। କିନ୍ତୁ ଉପ ରାଜ୍ୟପାଳ ଅନୁମତି ନଦେବାରୁ ବିରୋଧୀ ନେତା ଏଥିରେ କ୍ଷୁବ୍ଧ ହୋଇଛନ୍ତି। କେଜ୍ରିଓ୍ଵାଲଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀଙ୍କ ସହ ଭେଟ ହେବା ପରେ ଏହି ୪ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦିଲ୍ଲୀରେ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ସେମାନେ କହିଛନ୍ତି। ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ଦେଖା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ମମତା ଦାବି କରିଛନ୍ତି। ଦିଲ୍ଲୀବାସୀ ଚୟନ କରିଥିବା ପ୍ରତିନିଧିଙ୍କୁ କେନ୍ଦ୍ର ସରକାର ସମ୍ମାନ ଜଣାଇବା ଉଚିତ୍‌ ବୋଲି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀମାନେ କହିଛନ୍ତି। ଅପରପକ୍ଷେ,କେଜ୍ରିଓ୍ଵାଲ ଏହି ଘଟଣାରେ ଟ୍ଵିଟ କରି କହିଛନ୍ତି ଯେ, ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ। କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭେଟିବାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତି କି? ରାଜଭବନ କାହାର ବ୍ୟକ୍ତିଗତ ଜାଗିର ନୁହେଁ,ଏହା ଲୋକଙ୍କର ବୋଲି କେଜ୍ରିଓ୍ଵାଲ କହିଛନ୍ତି। ଦିଲ୍ଲୀ ସଙ୍କଟ ଜଟିଳ ହେଉଥିବା ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଆମ୍‌୍‌ ଆଦ୍‌୍‌ମି ପାର୍ଟି ଯୋଜନା କରିଛି।

ସମ୍ବନ୍ଧିତ ଖବର