ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଲେ ୪ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍‌ ଆଦ୍‌୍‌ମୀ ପାର୍ଟି (ଆପ୍‌୍‌) ଏବଂ ଉପ-ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ପହଞ୍ଚିଛି। ୪ ଜଣ ଅଣ ବିଜେପି ମୁଖ୍ୟମନ୍ତ୍ରୀ ଆଜି ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମାମଲାର ସମାଧାନ କରିବା ଦିଗରେ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ତେବେ ରାଜ୍ୟ ବ୍ୟାପାରରେ କେନ୍ଦ୍ର ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ଦିଲ୍ଲୀରେ ଏଭଳି ସ୍ଥିତି ଉପୁଜିଥିବାରୁ କେନ୍ଦ୍ର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଅଯଥା ହସ୍ତକ୍ଷେପ ନକରିବାକୁ ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ଦାବି କରିଛନ୍ତି। ଆଜି ନିତି ଆୟୋଗ ବୈଠକ ଅବସରରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌୍‌.ଡି. କୁମାରସ୍ୱାମୀ ଏବଂ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଏହି ପ୍ରସଙ୍ଗରେ ଆପ୍‌ ସରକାରକୁ ସମର୍ଥନ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଦିଲ୍ଲୀରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଏହି ମାମଲରେ ପ୍ରଧାନମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ଏହି ମୁଖ୍ୟମନ୍ତ୍ରୀମାନେ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ଏହି ୪ ମୁଖ୍ୟମନ୍ତ୍ରୀ ଅନଶନରତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା। ମମତା କହିଥିଲେ ଯେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି ଏବଂ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ କାର୍ଯ୍ୟ କରୁନାହାନ୍ତି। ତେବେ ଏହି ମାମଲାରେ ବିହୀତ ପଦକ୍ଷେପ ନିଆଯାଉଥିବା ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର