ବଗୋଟା: ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୪ଜଣ ପିଲାଙ୍କୁ ପ୍ରାୟ ୪୦ ଦିନର ବ୍ୟାପକ ତଲାସ ଅଭିଯାନ ପରେ ଚିରଶ୍ୟାମଳ ଆମାଜନ୍‌ ଘନ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର କରାଯାଇଥିବା କଥା ଆଜି କୋଲୋମ୍ବିୟାର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ କହିଛନ୍ତି।

Advertisment

ମେ ୧ ତାରିଖ ଦିନ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଖୋଜ ହୋଇଯାଇଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ପାଇବା ନିମନ୍ତେ ତଲାସ ଅଭିଯାନରେ ଅଂଶ ଗ୍ରହଣ କରିଥିବା କେତେକ ସେନା ଓ ଆଦିମ ଅଧିବାସୀଙ୍କ ଫଟୋ ପୋଷ୍ଟ୍‌ କରି ପିଟ୍ରୋ କହିଛନ୍ତି: ସମଗ୍ର ଦେଶ ପାଇଁ ଆନନ୍ଦର ବିଷୟ! କୋଲୋମ୍ବୀୟ ଜଙ୍ଗଲରେ ୪୦ ଦିନ ତଳେ ହଜିଯାଇଥିବା ୪ଜଣ ପିଲା ବଞ୍ଚିଛନ୍ତି।

publive-image Image Courtesy of BBC

ଫଟୋରେ କଙ୍କାଳସାର ହୋଇଯାଇଥିବା ପରି ଦିଶୁଥିବା ୪ ଭାଇଭଉଣୀଙ୍କୁ ତଲାସକାରୀମାନେ ଏକାଠି ଥିବା ଅବସ୍ଥାରେ ପାଇଥିଲେ। ଏବେ ସେମାନଙ୍କର ଡାକ୍ତରୀ ଚିକିତ୍ସା ଚାଲିଛି ବୋଲି ପିଟ୍ରୋ ସାମ୍ବାଦିକମାନଙ୍କୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଏ ପିଲାମାନେ ହେଉଛନ୍ତି ଶାନ୍ତିର ପିଲା ତଥା କୋଲୋମ୍ବିୟାର ପିଲା। ଆଜିର ଦିନ ଗୋଟାଏ ‘କୁହକମୟ ଦିନ’। ଏହା ହେଉଛି ‘ତିଷ୍ଠି ରହିବା’ର ଗୋଟାଏ ପ୍ରକୃଷ୍ଟ ଉଦାହରଣ ଏବଂ ଏ ପିଲାମାନଙ୍କର ଗାଥା ଇତିହାସରେ ହୋଇ ରହିବ।

ନିଖୋଜ ହୋଇଯାଇଥିବା ପିଲାମାନେ ମୂଳତଃ ‘ୟୁଟୋଟୋ’ ଆଦିମ ଅଧିବାସୀ ଶ୍ରେଣୀର ଏବଂ ସେମାନଙ୍କର ବୟସ ହେଉଛି ଯଥାକ୍ରମେ:- ୧୩, ୯, ୪ ଓ ୧ ବର୍ଷ। ମେ ୧ ତାରିଖ ପୂର୍ବାହ୍ନରେ ସେମାନେ ‌ଗୋଟିଏ ଇଞ୍ଜିନ୍‌ବିଶିଷ୍ଟ ଛୋଟ ବିମାନ ‘ସେସ୍‌ନା ୨୦୬’ରେ ଯାତ୍ରା କରୁଥିବା ବେଳେ ତାହା ଦୁର୍ଘଟଣା ଗ୍ରସ୍ତ ହୋଇ ଆମାଜନ୍‌ ଜଙ୍ଗଲରେ ପଡ଼ିଯାଇଥିଲା। ସେବେଠାରୁ ସେମାନେ ଘନଜଙ୍ଗଲରେ ଫଳମୂଳ ଖାଇ ସାହାଯ୍ୟ ଆଶାରେ ଲକ୍ଷ୍ୟହୀନ ଭାବେ ବୁଲୁଥିଲେ।

publive-image Image Courtesy of BBC

ଏପଟେ ତଲାସକାରୀମାନେ ମାଟିରେ ଛୋଟ ପାଦଚିହ୍ନ ଦେଖିବା ପରେ ସେମାନେ ବଞ୍ଚିଥିବେ ବୋଲି ଆଶା ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଉକ୍ତ ବିମାନ ଦୁର୍ଘଟଣାସ୍ଥଳରୁ ସେନା ସେମାନଙ୍କର ମାଆ, ଜଣେ ଆତ୍ମୀୟ ଓ ବିମାନର ପାଇଲଟ୍‌ ଶବ ଉଦ୍ଧାର କରିଥିଲା।