ପେଲୋସିଙ୍କ ଗସ୍ତକୁ ନେଇ ବିସ୍ଫୋରକ ସ୍ଥିତି : ତାଇଓ୍ବାନ ବାୟୁସୀମାରେ ପଶିଲେ ଚୀନର ଲଢୁଆ ବିମାନ

ତାଇପେଇ : ଚୀନର ଧମକ ସତ୍ତ୍ବେ ଆମେରିକାର ପ୍ରତିନିଧିସଭାର ସଭାପତି ନାନସି ପେଲୋସି ମଙ୍ଗଳବାର ରାତିରେ ତାଇଓ୍ବାନ ପହଞ୍ଚୁଛନ୍ତି । ଏହାକୁ ନେଇ ତାଇଓ୍ବାନ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାକୁ ନେଇ ଚୀନ ଭୀଷଣ ଅସନ୍ତୁଷ୍ଟ ହୋଇଯାଇଛି । ତାଇଓ୍ବାନକୁ ଧମକାଇବାକୁ ମଙ୍ଗଳବାର ସକାଳେ ଚୀନର ୪ଟି ଲଢୁଆ ବିମାନ ତାଇଓ୍ବାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ (ଏଡିଆଇଜେଡ୍)ରେ ପ୍ରବେଶ କରିଛନ୍ତି ।

ଚୀନର ଲଢୁଆ ବିମାନ ଅନୁପ୍ରବେଶ କରିବା ପରେ ତାଇଓ୍ବାନର ବାୟୁସେନା ସତର୍କ ହୋଇଯାଇଥିଲା । ତାଇଓ୍ବାନର ଲଢୁଆ ବିମାନ ଆକାଶରେ ଉଡ଼ିବା ସହ ଚୀନ ବିମାନକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ, ତାଇଓ୍ବାନର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ମଧ୍ୟ ସକ୍ରିୟ ହୋଇଯାଇଥିଲା । ତେବେ କିଛି ସମୟ ତାଇଓ୍ବାନର ଏଡିଆଇଜେଡରେ ଅନୁପ୍ରବେଶ କରି ଉଡ଼ିବା ପରେ ଚୀନର ବିମାନଗୁଡ଼ିକ ଫେରିଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି । ଗତ ଦୁଇ ବର୍ଷ ହେଲା ଚୀନର ଯୁଦ୍ଧ ବିମାନ ନିୟମିତଭାବେ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ପରେ ଏହି ଆଶଙ୍କା ବଢିଯାଇଛି । ତେବେ ଆମେରିକା ତାଇଓ୍ବାନକୁ ସୁରକ୍ଷା ଦେବାକୁ ଘୋଷଣା କରିଛି ।

ମଙ୍ଗଳବାର ହେବାକୁ ଥିବା ପେଲୋସିଙ୍କ ଗସ୍ତ ପରେ ଚୀନ କିପରି ପ୍ରତିକ୍ରିୟା ପ୍ରକାଶ କରୁଛି ତାହା ଫପରେ ସମସ୍ତଙ୍କ ନଜର ରହିଛି ।

 

 

ସମ୍ବନ୍ଧିତ ଖବର