କୋଭିଡ୍‌ ମୁକାବିଲା ପାଇଁ ୪ ସହର ‘ପ୍ରେରଣାର ଉତ୍ସ’

ନୂଆଦିଲ୍ଲୀ: ଦେଶରେ ଅନ୍ୟ ସହରଗୁଡ଼ିକର କରୋନା ମୁକାବିଲା ପାଇଁ ୪ଟି ସହର ଜୟପୁର, ଇନ୍ଦୋର, ଚେନ୍ନାଇ ଓ ବେଙ୍ଗାଲୁରୁ ସମ୍ଭାବ୍ୟ ରୋଲ୍‌ ମଡେଲ୍‌ କରାଯାଉଛି। କିଛି ଦିନ ହେଲା କେନ୍ଦ୍ର ସରକାର ବିଭିନ୍ନ ପୌର କର୍ତ୍ତୃପକ୍ଷମାନଙ୍କ ସହ ଏ ମର୍ମରେ ବୈଠକ କରିଥିଲେ। ଏହି ବୈଠକରେ କେନ୍ଦ୍ର ୪ଟି ସହରକୁ ପ୍ରେରଣାର ଉତ୍ସ ରୂପେ ଚିହ୍ନଟ କରିଛନ୍ତି। ଜୟପୁର ଓ ଇନ୍ଦୋର ନଗରୀ ଅଧିକ ସଂକ୍ରମଣ ମାମଲାକୁ ନିୟନ୍ତ୍ରଣ କରିପାରିଛି ଏବଂ ଚେନ୍ନାଇ, ବେଙ୍ଗାଲୁରୁ ପରି ବିଶାଳ ସହର ମୃତ୍ୟୁହାରକୁ ନିୟନ୍ତ୍ରଣରେ ରଖିପାରିଛି ବୋଲି ଜଣାପଡ଼ିଛି। ଉଭୟ ଇନ୍ଦୋର ଓ ଜୟପୁରରେ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହୋଇଛି। ଇନ୍ଦୋର୍‌ରେ ଦୁଇ ଥାକି‌ଆ ରାସ୍ତା ଗୁଡ଼ିକରେ ସ୍ବତନ୍ତ୍ର ପଇଁତରା ଟିମ୍‌ ମୁତୟନ ହୋଇଛନ୍ତି। ସେହିପରି ଜୟପୁରରେ ସୁପରସ୍ପ୍ରେଡରଙ୍କ ସଂଖ୍ୟା କମାଇବା ପାଇଁ ଖୁବ୍‌ କମ୍‌ ସଉଦା ଓ ପରିବା ଦୋକାନ ଖୋଲୁଛି। ଦୋକାନ ବଜାର ତଥା ବିଶେଷ କରି କ୍ଷୀର ଦୋକାନରେ ସ୍ଥାନୀୟ ପୁଲିସ କଡ଼ା ନଜର ରଖୁଛି ।

ଚେନ୍ନାଇ ଓ ବେଙ୍ଗାଲୁରୁରେ ସଂକ୍ରମଣ ବଢ଼ୁଥିଲେ ବି ମୃତ୍ୟୁହାର ମାତ୍ର ୧ ପ୍ରତିଶତ। ଜାତୀୟ ହାରାହାରି ୩ ପ୍ରତିଶତଠାରୁ ଏହା ବହୁତ କମ୍‌। କିଛି ସହରରେ ଭେଣ୍ଟିଲେଟର ବ୍ୟବହାର ବେପରୁଆ ଥିବା ବେଳେ ତାମିଲନାଡ଼ୁ ଓ କର୍ଣ୍ଣାଟକରେ ସଠିକ୍‌ ଭାବେ ଭେଣ୍ଟ‌ିଲେଟରର ବ୍ୟବହୃତ ହେଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦେଶରେ ଏବେ ଅଧିକାଂଶ ପୌରାଞ୍ଚଳ ଗୁଡ଼ିକରେ ଅଧିକ ଚ୍ୟାଲେଂଜ ରହିଛି ଏବଂ ଖୁବ୍ କମ୍‌ ଦିନରେ ମାମଲା ଦ୍ବିଗୁଣା ହେଉଛି। ସହରାଞ୍ଚଳଗୁଡ଼ିକରେ ଏବେ ଉଚ୍ଚ ଜନସଂଖ୍ୟା ଥିବା ବସ୍ତି ସବୁଠୁ ବଡ଼ ବିପଦ ହୋଇଛି।

ସମ୍ବନ୍ଧିତ ଖବର