ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ, ୪ କଂଗ୍ରେସ ସାଂସଦ ସଂପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ : ଦରଦାର ବୃଦ୍ଧିକୁ ନେଇ ସଂସଦରେ ଆଜି ବିରୋଧୀ ଦଳ ସାଂସଦମାନେ ହଙ୍ଗାମା କରିଛନ୍ତି । ଏହାଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଲୋକସଭା ବାଚସ୍ପତି ଏମ ବିରଲା ସୋମବାରଦିନ ୪ କଂଗ୍ରେସ ସାଂସଦ ମଣିକମ ଟାଗୋର, ରମ୍ୟା ହରିଦାସ, ଜ୍ୟୋତିମଣି ଓ ଟିଏନ ପ୍ରତାପନଙ୍କୁ ଲୋକସଭାରୁ ନିଲମ୍ବିତ କରିଛନ୍ତି । ସଂପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ଦରଦାମ ବୃଦ୍ଧି, ଜିଏସଟି ବୃଦ୍ଧି ଓ ଏଲପିଜି ଦରବୃଦ୍ଧିକୁ ବିରୋଧ କରୁଥିଲେ ।

ନିଲମ୍ବିତ ହେବାପରେ ବି ଗୃହ ବାହାରେ ସେମାନେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ ।

ଏହା ସତ୍ତ୍ବେ ଗୃହରେ ବିରୋଧୀ ଦ​ଳ ସାଂସଦମାନଙ୍କ ହଙ୍ଗାମା ଜାରି ରଖିଥିଲେ । ଗୃହମଧ୍ୟକୁ ପ୍ଲାକାର୍ଡ ନେଇ ନ ଆସିବାକୁ ବାଚସ୍ପତି ସଦସ୍ୟମାନଙ୍କୁ ନିବେଦନ କରିବା ସତ୍ତ୍ବେ ସେମାନେ ଗୃହରେ ବିରୋଧ  ପ୍ରଦର୍ଶନ ଜାରି ରଖିଥିଲେ । ଏହା ପରେ ବାଚସ୍ପତି ଗୃହକୁ ଆସନ୍ତା କାଲିପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ରାଜ୍ୟସଭାରେ ବି ବିରୋଧୀ ଦଳମାନେ ଦରଦାମ ବୃଦ୍ଧିକୁ ନେଇ ହଙ୍ଗାମା ଜାରି ରଖିଥିଲେ । ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ମୁଦ୍ରାସ୍ପୀତି ଓ ଜିଏସଟି ବୃଦ୍ଧି ଉପରେ ବିତର୍କ ପାଇଁ ଦାବି କରୁଥିଲେ । ଫଳରେ ରାଜ୍ୟସଭାକୁ ଆଜି ଅପରାହ୍ଣ ୪ଟା  ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି ।

 

 

ସମ୍ବନ୍ଧିତ ଖବର