ତେଲ ଅଭିଭ: ୬ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଭିତରେ ଇସ୍ରାଏଲ ଓ ହମାସ ମଧ୍ୟରେ ପ୍ରଥମ ଯୁଦ୍ଧବିରତି ପାଇଁ ବୁଝାମଣା ହୋଇଛି। ଇସ୍ରାଏଲ ସରକାର ବୁଧବାର ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିଛନ୍ତି ଯେଉଁଥିରେ ୫୦ ଜଣ ମହିଳା ଓ ଶିଶୁଙ୍କୁ ହମାସ ମୁକ୍ତ କରିବ। ତେବେ ଏହା ଯୁଦ୍ଧର ଅନ୍ତ ନୁହେଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କ ଯୁଦ୍ଧ କ୍ୟାବିନେଟରେ ଏହି ଚୁକ୍ତି ଉପରେ ଭୋଟ୍ ହେବା ପୂର୍ବରୁ କହିଛନ୍ତି। ହମାସକୁ ନିପାତ ନ କରିବା ଏବଂ ସମସ୍ତ ବନ୍ଧକଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ନେତାନ୍ୟାହୁ କହିଛନ୍ତି। ଗାଜାର କୌଣସି ସଂସ୍ଥା ଯେପରି ଇସ୍ରାଏଲ ପ୍ରତି ବିପଦ ସୃଷ୍ଟି କରିପାରିବ ନାହିଁ ତାହା ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ବୋଲି ନେତାନ୍ୟାହୁ ବୈଠକ ପୂର୍ବରୁ କହିଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଏହି ଚୁକ୍ତିରେ କତରର ଅଧିକାରୀମାନେ ମଧ୍ୟସ୍ଥତା କରିଥିଲେ। ନେତାନ୍ୟାହୁ କହିଛନ୍ତି ଯେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଚୁକ୍ତିରେ ପହଞ୍ଚିବାରେ ସାହାଯ୍ୟ କରିଛନ୍ତି ଯାହାଦ୍ୱାରା ଏଥିରେ ଅଧିକ ବନ୍ଧକଙ୍କୁ ମୁକ୍ତ କରାଯାଇପାରିବ।
କ’ଣ ହୋଇଛି ଚୁକ୍ତି?
ଚାଲିଥିବା ବୋମାମାଡ଼ରେ ଏହା ହେବ ପ୍ରଥମ ବିରତି। ଏହି ଅସ୍ତ୍ରବିରତି ଯୋଗୁଁ ଗାଜାକୁ ମାନବିକ ସହାୟତା ମଧ୍ୟ ଉପଲବ୍ଧ ହେବ।
୪ ଦିନ ଧରି ଚାଲିବାକୁ ଥିବା ଏହି ବିରତିରେ ୫୦ ଜଣ ମହିଳା ଓ ଶିଶୁଙ୍କୁ ହମାସ୍ ମୁକ୍ତ କରିବ।
ଏହି ଯୁଦ୍ଧବିରତି କେବେ କାର୍ଯ୍ୟକାରୀ ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଗୁରୁବାରଠାରୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଇପାରେ ବୋଲି ଜଣାପଡ଼ିଛି।
ଇସ୍ରାଏଲ ସରକାର କହିଛନ୍ତି ଯେ, ପ୍ରତି ୧୦ ଜଣ ଲେଖାଏ ବନ୍ଧକଙ୍କ ମୁକ୍ତି ପାଇଁ ଇସ୍ରାଏଲ ଯୁଦ୍ଧବିରତିକୁ ଅତିରିକ୍ତ ଗୋଟିଏ ଦିନ ଲେଖାଏ ବୃଦ୍ଧି କରିବ।
ମାନବିକ ସନ୍ଧିକୁ ସ୍ୱାଗତ କରି ହମାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ଚୁକ୍ତି ଅନୁଯାୟୀ ଇସ୍ରାଏଲ ଜେଲରୁ ୧୫୦ ଜଣ ପାଲେଷ୍ଟିନୀୟଙ୍କୁ ମୁକ୍ତ କରାଯିବ।
ରାତିସାରା ବୈଠକ ପରେ ଉଭୟ ପକ୍ଷ ଏହି ବୁଝାମଣାରେ ପହଞ୍ଚିଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ ଏହା ଏକ କଠିନ ନିଷ୍ପତ୍ତି କିନ୍ତୁ ସଠିକ୍ ନିଷ୍ପତ୍ତି। ଏହି ଚୁକ୍ତିକୁ ଯୁଦ୍ଧ କ୍ୟାବିନେଟରେ ପ୍ରଥମେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା କାରଣ ଏହି ଚୁକ୍ତି ଅନୁଯାୟୀ ଇସ୍ରାଏଲ ହମାସକୁ ଅଧିକ ଦେବ ଓ କମ୍ ପାଇବ।