ମାଟି ତଳୁ କାନ୍ଦୁଥିବା ଅବସ୍ଥାରେ ୪ଦିନର ନବଜାତ ଶିଶୁ ଉଦ୍ଧାର

ଭୋପାଳ: ମଧ୍ୟପ୍ରଦେଶର ଅଶୋକନଗର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୪ଦିନର ଶିଶୁକୁ ନଦୀ କୂଳରୁ ଉଦ୍ଧାର କରାଯାଇଛି। ତେବେ ମାଟି ଭିତରୁ ଶିଶୁର କାନ୍ଦ ଶୁଣି ନଦୀ କୂଳ ପାଖରେ କାମ କରୁଥିବା କିଛି ଚାଷୀ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। କେଉଁଠାରୁ କାନ୍ଦ ସ୍ବର ଶୁଭାଯାଉଛି ତାହାକୁ ଠଉରାଇ ମାଟି ଖୋଳିଥିଲେ।

ବହୁ ସାବଧାନତା ସହ ମାଟି ଖୋଳିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ମାଟି ଭିତରୁ ନବଜାତ ଶିଶୁ ଉଦ୍ଧାର ହୋଇଥିଲା। ଗ୍ରାମବାସୀ ଏନେଇ ପୁଲିସରେ ଖବର ଦେଇଥିଲେ। ଏହାପରେ ଚିକିତ୍ସା ପାଇଁ ନବଜାତ ଶିଶୁକୁ ମୁଙ୍ଗାବଳି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ଶିଶୁର ଚିକିତ୍ସା କରିବା ପରେ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଥିଲେ। ଜିଲ୍ଲା ହସ୍ପିଟାଲ ଡାକ୍ତର ଶିଶୁର ଚିକିତ୍ସା କରିବା ସହିତ ନବଜାତ ଶିଶୁଟି ୪ଦିନର ବୋଲି ସୂଚନା ଦେଇଥିଲେ। ପୁଲିସ ଏହି ଘଟଣାରେ ଅଙ୍ଗନବାଡ଼ି କର୍ମୀ ଓ ଗ୍ରାମବାସୀଙ୍କୁ ପଚରାଉଚରା ଜାରି ରଖିଛି।
ଅଜ୍ଞାତ ଅଭିଯୁକ୍ତ ବିରୋଧରେ ପୁଲିସ ଧାରା ୩୧୭ରେ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର