ପାଟନା: ମଙ୍ଗଳବାର ରାତିରେ ବିହାର ରାଜ୍ୟର ବକ୍ସର୍ ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଷ୍ଟେସନ୍ ନିକଟରେ ‘ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍’ ଧାରଣାଚ୍ୟୁତ ହେବା ଯୋଗୁଁ ଅନ୍ୟୂନ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ରୁ ଆସାମର ଗୌହାଟୀ ଅନ୍ତର୍ଗତ କାମାଖ୍ୟା ଜଙ୍କ୍ସନ୍ ଅଭିମୁଖେ ଯାଉଥିବା ବେଳେ ରାତି ୯.୫୩ରେ ‘ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍’ର ୬ଟି ବଗି ଧାରଣାଚ୍ୟୁ ହୋଇଥିଲା। ଟେଲିଭିଜନ୍ରେ ପ୍ରସାରିତ ଫଟୋରେ ଦେଖାଯାଉଛି, ଅନ୍ୟୂନ ୨ଟି ‘ଏସି ୩ ଟିୟର୍’ କୋଚ୍ ଓଲଟି ପଡ଼ିଥିବା ବେଳେ ଆଉ ୪ଟି କୋଚ୍ ଟ୍ରାକ୍ରୁ ଛିଟିକି ପଡ଼ିଛି।
ରେଳ ମନ୍ତ୍ରାଳୟ କହିଛି, ଟ୍ରେନ୍ ନମ୍ବର ୧୨୫୦୬ (ଆନନ୍ଦ ବିହାର ଟର୍ମିନାଲ୍ରୁ କାମାଖ୍ୟା) ରଘୁନାଥପୁର ଷ୍ଟେସନ୍ର ମୁଖ୍ୟ ଲାଇନ୍ ଅତିକ୍ରମ କରୁଥିବା ବେଳେ ୬ଟି ବଗି ବା କୋଚ୍ ଧାରଣାଚ୍ୟୁତ ହୋଇଗଲା।
/sambad/media/post_attachments/8e7caf096290b6dcb4f4f1661be5b969cacf512ac6f72d5b810369201ab11a47.jpg)
ସକାଳ ୭.୪୦ରେ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ରୁ ୨୩ଟି କୋଚ୍ ଥିବା ଏହି ଟ୍ରେନ୍ କାମାଖ୍ୟା ଅଭିମୁଖେ ୩୩ଘଣ୍ଟିଆ ଯାତ୍ରା ଆରମ୍ଭ କରିଥିଲା।
ବକ୍ସର୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମନୀଷ କୁମାର ଗଣମାଧ୍ୟମକୁ କହିଛନ୍ତି, ଦୁର୍ଘଟଣାରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।
ରେଳବାଇ ପୁଲିସ ଫୋର୍ସର ଜଣେ ଅଧିକାରୀ କହିଛନ୍ତି ଆହତ ହୋଇଥିବା ଅନ୍ୟୂନ ୭୦ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଛି।
ଗୁରୁତର ଆହତ ହୋଇଥିବା ଯାତ୍ରାମାନଙ୍କୁ ତୁରନ୍ତ ପାଟନାସ୍ଥିତ ‘ଏମ୍ସ୍’କୁ ପଠାଇ ଦିଆଯାଇଛି। ଦୁର୍ଘଟଣା ପରେ ପରେ ତୁରନ୍ତ ଆମ୍ବୁଲାନ୍ସ୍ ଓ ଡାକ୍ତର ପଠାଯାଇ ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଜନସ୍ଥାନାନ୍ତରଣ ଓ ଉଦ୍ଧାର ଅଭିଯାନ ଶେଷ ହୋଇଛି। ମୃତ ବ୍ୟକ୍ତିମାନଙ୍କ ପ୍ରତି ଶୋକ ବ୍ୟକ୍ତ କରି ସେ କହିଛନ୍ତି, ଧାରଣାଚ୍ୟୁତିର ମୂଳ କାରଣ ଜାଣିବା ପାଇଁ ସରକାର ତଦନ୍ତ ଆରମ୍ଭ କରାଇଛନ୍ତି।
ଏହାଛଡ଼ା, ଉକ୍ତ ରେଳପଥ ଦେଇ ଚଳାଚଳ କରୁଥିବା ଅନ୍ୟୂନ ୨୧ଟି ଟ୍ରେନ୍ର ପଥ ପରିବର୍ତ୍ତନ କରାଯାଇଛି ଓ ଅନ୍ୟୂନ ୨ଟି ଟ୍ରେନ୍ ବାତିଲ କରାଯାଇଛି।