ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ହୋଇଛି। ମୁମ୍ବାଇ‌ ରେଳ ଷ୍ଟେସନ୍‌ରେ ପ୍ରବଳ ଗହଳି ହୋଇଥିବା ଚଳନ୍ତା ଯାତ୍ରୀବାହୀ ଟ୍ରେନ୍‌ରୁ ଅନେକ ଲୋକ ଖସି ପଡ଼ିଛନ୍ତି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ସକାଳ ପ୍ରାୟ ୯ଟାରେ ଏହି ଦୁର୍ଘଟଣା ହୋଇଛି। ୨ଟି ଟ୍ରେନ୍‌ ବିପରୀତ ଦିଗରେ ପରସ୍ପରକୁ ଅତିକ୍ରମ କରୁଥିବାବେଳେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି।  

Advertisment

ଯେଉଁ ଦୁଇଟି ଟ୍ରେନ୍‌କୁ ନେଇ ଏହି ଦୁର୍ଘଟଣା ହୋଇଛି ସେଗୁଡ଼ିକ ହେଲା ସିଏସ୍‌ଏମ୍‌ଟି-କରଜାତ୍‌ ଡାଉନ୍‌ ଫାଷ୍ଟ୍‌ ଲୋକାଲ୍‌ ଏବଂ କସରା ସିଏସ୍‌ଏମ୍‌ଟି ଅପ୍‌ ଫାଷ୍ଟ୍‌ ଲୋକାଲ୍‌। ଗୋଟିଏ ଟ୍ରେନ୍‌ କସରା ଯାଉଥିଲା ଏବଂ ଅନ୍ୟ ଟ୍ରେନ୍‌ଟି ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ଯାଉଥିଲା।  ଟ୍ରେନ୍‌ରେ ପ୍ରବଳ ଗହଳି ଥିଲା ଏବଂ ଯାତ୍ରୀମାନେ ଟ୍ରେନ୍‌ ଡୋର୍‌ରେ ଝୁଲି ଯାତ୍ରା କରୁଥିଲେ। ୨ଟି ଟ୍ରେନ୍‌ ପରସ୍ପରକୁ ଅତିକ୍ରମ କରିବା ସମୟରେ ୧୩ ଯାତ୍ରୀ ନିୟନ୍ତ୍ରଣ ହରାଇ ରେଳ ଧାରଣା ଉପରେ ଖସି ପଡ଼ିଥିଲେ। ମୁମ୍ବାଇ ଷ୍ଟେସନ ନିକଟରେ ‌ଟ୍ରେନ୍‌ ଦୁଇଟି ପରସ୍ପରକୁ ଅତିକ୍ରମ କରୁଥିଲା। ଏଥିସହିତ ରେଳଧାରଣା ସେଠାରେ ବୁଲାଣି ଥିବା କାରଣରୁ ଯାତ୍ରୀମାନେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତଙ୍କୁ କଲୱାର ଏକ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଯାଇଥିଲା। ଡାକ୍ତର ସେଠାରେ ୪ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ସମସ୍ତ ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ। ମୃତକଙ୍କ ମଧ୍ୟ‌ରେ ଜଣେ ଜିଆର୍‌ପି କନେଷ୍ଟବଳ ମଧ୍ୟ ଅଛନ୍ତି। କେନ୍ଦ୍ରୀୟ ରେଳବାଇର ଜଣେ ମୁଖପାତ୍ରଙ୍କ ଅନୁଯାୟୀ ଏହି ଘଟଣାର କାରଣ କ’ଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।  

ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଉକ୍ତ ଘଟଣା‌ରେ ତଦନ୍ତ ଜାରି ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ‌ଘୋଷଣା କରାଯାଇଛି। ଆଜିର ଦୁର୍ଘଟଣା ପରେ ରେଳ ବୋର୍ଡ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଣିକି ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ ପାଇଁ ସ୍ବୟଂକ୍ରିୟ ଦ୍ବାର ବନ୍ଦ ସୁବିଧା ଉପଲବ୍ଧ ହେବ। ମୁମ୍ବାଇ ସବ୍‌ଅର୍ବାନ ଟ୍ରେନ୍ ପାଇଁ ନିର୍ମାଣ ହେଉଥିବା ସବୁ ବଗିରେ ସ୍ବୟଂକ୍ରିୟ ଦରଜା ‌ଲାଗିବ। ଏଥିସହିତ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକର ଦ୍ବାର ମଧ୍ୟ ବଦଳାଯିବ ବୋଲି ରେଳବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସୂଚନା ଓ ପ୍ରଚାରପ୍ରସାର) ଦିଲୀପ କୁମାର କହିଛନ୍ତି।