ମୁମ୍ବାଇ: ଆଜି ମୁମ୍ବାଇ ଉପକୂଳରେ ପଓ୍ଵନ ହନ୍ସ ଡଫିନ୍‌ ଏଏସ୍‌ ୩୬୫ ଏନ୍‌୩ ନାମକ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଯାତ୍ରା କରୁଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ନିଖୋଜମାନଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ଆଜି ସକାଳ ୧୦ଟା ୧୪ରେ ଜୁହୁ ବିମାନବନ୍ଦରରୁ ୫ ଜଣ ଓଏନ୍‌ଜିସି କର୍ମଚାରୀ ଏବଂ ୨ ଜଣ ପଓ୍ଵନ ହନ୍ସ ପାଇଲଟଙ୍କୁ ଧରି ହେଲିକପ୍ଟରଟି ଉଡ଼ାଣ ଆରମ୍ଭ କରିଥିଲା। ଦିନ ୧୧ଟାରେ ବମ୍ବେ ହାଇ’ର ଅଏଲ୍‌ ରିଗ୍‌ରେ ପହଞ୍ଚିବାକୁ ଥିବା ଉକ୍ତ ହେଲିକପ୍ଟରର ସାଢ଼େ ୧୦ଟା ଯାଏ ଏୟାର ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଶେଷ ଯୋଗାଯୋଗ ହୋଇଥଲା। ଅପରପକ୍ଷେ, ୩ ଘଣ୍ଟା ୧୦ ମିନିଟ୍‌ ସମୟର ଉଡ଼ାଣ ପାଇଁ ଇନ୍ଧନ ଥିବା ହେଲିକପ୍ଟରଟି ତାହା ପରଠାରୁ କୁଆଡ଼େ ନିଖୋଜ ହୋଇଯାଇଥିଲା। ହେଲିକପ୍ଟରରେ ଥିବା ଓଏନ୍‌ଜିସି କର୍ମଚାରୀମାନେ ହେଉଛନ୍ତି ଆର ସର୍ବାନନ୍‌, ପିଏନ ଶ୍ରୀନିିବାସନ୍‌, ଜୋସ୍‌ ଆନ୍ଥୋନି, ପଙ୍କଜ ଗର୍ଗ, ଏବଂ ଭିଗେ ବିନ୍ଦୁ ଲାଲ୍‌ ବାବୁ। ସେହିପରି ଦୁଇ ପାଇଲଟ୍‌ ହେଲେ କ୍ୟାପଟେନ୍‌ ଓହାତକର ଏବଂ କ୍ୟାପଟେନ କାଟୋଚ୍‌। ଖବର ପାଇ ନୌସେନା ବାହିନୀ ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ତଲାସ ଜାରି ରହିଛି। ସେମାନଙ୍କ ଭିତରୁ ଚାରି ଜଣଙ୍କ ମୃତଦେହ ମିଳିବା ସହ ହେଲିକପ୍ଟରର ଅଂଶ ମଧ୍ୟ ଉଦ୍ଧାର ହୋଇଛି।