ନୂଆଦିଲ୍ଳୀ: ଅଗଷ୍ଟ ୨୨ରୁ ୨୪ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଥିଲା। ଏହା ସହିତ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ସାମାନ୍ୟ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ମଧ୍ୟ ପାଣିପାଗ ବିଭାଗ ଚେତାବନୀ ଦେଇଛି।

Advertisment

ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।  ନଦୀ ଓ ଡ୍ରେନରେ ଜଳସ୍ତର ବଢ଼ିବ। ଯାହାଫଳରେ ଫସଲ ଅମଳ ଉପରେ ପୂରା ପ୍ରଭାବ ପଡ଼ିବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ମିଳିଛି। ଗତ କିଛି ମାସ ମଧ୍ୟରେ କ୍ରମାଗତ ବର୍ଷା ହେତୁ ପାହାଡ଼ିଆ ରାଜ୍ୟଗୁଡିକରେ ବ୍ୟାପକ ଧ୍ୱଂସ ଓ ମୃତ୍ୟୁ ଘଟିଚାଲିଛି।

ସୋମବାର ଉତ୍ତରପ୍ରଦେଶର ତେହେରୀ ଜିଲ୍ଲାର ଚାମ୍ବାରେ ଭୂସ୍ଖଳନ ହେବାରୁ ଦୁଇ ମହିଳା, ଜଣେ ୪ ମାସର ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ସୂଚନା ପ୍ରଦାନ କରିଛି।

ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବଂ ଅନ୍ୟ ଜଣେ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି ଚାଲିଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ନବନୀତ ସିଂ ଭୁଲାରେଡ୍‌ କହିଛନ୍ତି।

ଚାମ୍ବା ପୁଲିସ ଷ୍ଟେସନ ନିକଟରେ ଏକ ଟ୍ୟାକ୍ସି ଷ୍ଟାଣ୍ଡରେ ଏହି ଭୂସ୍ଖଳନ ଘଟିଥିବାରୁ ଆଉ କିଛି ଗାଡି ମଧ୍ୟ ଫସି ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଉପୁଜିଥିବା ଭୂସ୍ଖଳନ ନୂଆ ତେହେରୀ-ଚାମ୍ବା ରାସ୍ତାକୁ ଅବରୋଧ କରିଛି। ଉଦ୍ଧାର କାର୍ଯ୍ୟ କରିବା ପାଇଁ ଷ୍ଟେଟ୍‌ ଡିଜାଷ୍ଟର୍‌ ରିଲିଫ୍‌ ଫୋର୍ସ (ଏସ୍‌ଡିଆର୍‌ଏଫ୍‌)କୁ ନିୟୋଜିତ କରାଯାଇଛି।

ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ତେହେରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଛି।