ଆମେରିକା କ୍ୟାପିଟଲ୍‌ ଦଙ୍ଗାରେ ୪ ନିହତ, କର୍ଫ୍ୟୁ ଉଲ୍ଲଂଘନ କରି ୫୨ ଗିରଫ, ଟ୍ରମ୍ପଙ୍କୁ ବହିଷ୍କାର କରିବା ଲାଗି କ୍ୟାବିନେଟ୍‌ ସଦସ୍ୟଙ୍କ ଆଲୋଚନା

ୱାସିଂଟନ୍: ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍‌ରେ କରିଥିବା ଦଙ୍ଗା ଓ ହିଂସାକାଣ୍ଡ ଘଟଣାରେ ୪ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ପୁଲିସ କହିଛି।

ବ୍ୟାରିକେଡ୍‌ ଲଗାଯାଇଥିବା ଏକ ଦ୍ବାର ଦେଇ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଦଳେ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆହତ ହୋଇଥିବା ଆଉ ତିନିଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ଦଙ୍ଗା ଘଟଣା ପରେ ପରେ ସମଗ୍ର ୱାସିଂଟନ୍‌ ଡିସିରେ ଜାରି କରାଯାଇଥିବା କର୍ଫ୍ୟୁ ଉଲ୍ଲଂଘନ କରି ସନ୍ଧ୍ୟା ୬ଟା ପରେ ରାସ୍ତାକୁ ବାହାରିଥିବା ୫୨ଜଣ ଲୋକଙ୍କୁ ପୁଲିସ ଗିରଫ କରିଛି।

ଯୁକ୍ତରାଷ୍ଟ୍ର ଆମେରିକାର କେତେକ ନିଉଜ୍‌ ଚାନେଲ୍‌ ରିପୋର୍ଟ ଅନୁସାରେ, ସମର୍ଥକମାନେ କ୍ୟାପିଟଲ୍‌ରେ ଦଙ୍ଗା ଓ ଗଣ୍ଡଗୋଳ କରିଥିବା କାରଣରୁ ରାଷ୍ଟ୍ରପତି ଡୋନାଲ୍ଡ୍‌ଟ୍ରମ୍ପ୍‌ଙ୍କୁ ବହିଷ୍କାର କରିବାକୁ ତାଙ୍କ କ୍ୟାବିନେଟ୍‌ର ସଦସ୍ୟମାନେ ଆଲୋଚନା କରିଛନ୍ତି।

Image Courtesy of Hindustan Times

ଏହି ଆଲୋଚନା ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ ଉପରେ ଆଲୋକପାତ କରିଥିଲା। ଯଦି ରାଷ୍ଟ୍ରପତି ତାଙ୍କ କ୍ଷମତା ଓ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଅସମର୍ଥ ବୋଲି ବିବେଚିତ ହୁଅନ୍ତି, ତେବେ ଉପରାଷ୍ଟ୍ରପତି ଓ କ୍ୟାବିନେଟ୍‌ ତାଙ୍କୁ ବହିଷ୍କାର କରିପାରିବେ ବୋଲି ଏହି ସଂଶୋଧିତ ସମ୍ବିଧାନରେ ଉଲ୍ଲେଖ ଅଛି।

ଏଥିନିମନ୍ତେ ହେବାକୁ ଥିବା ଭୋଟ୍ରେ ଉପରାଷ୍ଟ୍ରପତି ମିଚେଲ୍‌ ପେନ୍ସ୍‌ଙ୍କୁ କ୍ୟାବିନେଟ୍‌ର ନେତୃତ୍ବ ନେବାକୁ ପଡ଼ିବ। ‘ସିଏନ୍ଏନ୍‌’ ରିପୋର୍ଟ ଅନୁସାରେ, ରିପବ୍ଲିକାନ୍‌ ନେତାମାନେ ୨୫ତମ ସମ୍ବିଧାନ ସଂଶୋଧନ ବିଷୟରେ ଆଲୋଚନା କରିସାରିଥିବା ସହ ଟ୍ରମ୍ପ୍‌ ‘ନିୟନ୍ତ୍ରଣ ବାହାର’ ବ୍ୟକ୍ତି ବୋଲି କହିଛନ୍ତି।

କିନ୍ତୁ, ଔପଚାରିକ ଭାବେ ଉପରାଷ୍ଟ୍ରପତି ପେନ୍‌ସ୍‌ଙ୍କ ନିକଟରେ ଏ ସଂକ୍ରାନ୍ତରେ ଅବଗତ କରାଯାଇନାହିଁ ବୋଲି ‘ସିବିଏସ୍‌’ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର