ଦୌସା: ରବିବାର ରାତିରେ ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ୨୧ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗୋଟାଏ ବସ୍ ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯାଇ ଓଭର୍ବ୍ରିଜ୍ ଉପରୁ ଖସି ତଳେ ଯାଇଥିବା ରେଳଧାରଣାରେ ପଡ଼ିବାରୁ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୨୪ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ଦୁର୍ଘଟଣା ଦୌସା କଲେକ୍ଟୋରେଟ୍ ଛକରେ ଘଟିଛି। ଦୁର୍ଘଟଣାଗ୍ରସ୍ତ ବସ୍ରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ।
ଦୌସା ଜିଲ୍ଲାପାଳ କ୍ବାମାର ଚୌଧୁରୀ କହିଛନ୍ତି, ରବିବାର ରାତି ପ୍ରାୟ ୨ଟା ବେଳେ ୨୧ ନମ୍ବର ଜାତୀୟ ରାଜପଥରେ ସାଙ୍ଘାତିକ ସଡ଼କ ଦୁର୍ଘଟଣା ଘଟିଛି। ହରିଦ୍ବାରରୁ ଜୟପୁର ଅଭିମୁଖେ ଯାଉଥିବା ଗୋଟାଏ ବସ୍ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ପୋଲର ଲୁହାବାଡ଼ା ଭାଙ୍ଗି ତଳେ ଯାଇଥିବା ଜୟପୁର-ଦିଲ୍ଲୀ ରେଳପଥ ଉପରେ ପଡ଼ିଯାଇଛି।
ଦୌସାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜକୁମାର କାସ୍ୱା କହିଛନ୍ତି, ଦୁର୍ଘଟଣା ପରେ ଡାକ୍ତରଖାନା ଅଣାଯାଇଥିବା ୨୮ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ତଦନ୍ତ କରିବା ଲାଗି ‘ଏସ୍ଡିଏମ୍’କୁ ଘଟଣାସ୍ଥଳକୁ ପଠାଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ହରିଦ୍ବାରରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ବସ୍ ରାତି ପ୍ରାୟ ୨.୩୦ରେ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇଥିଲା। ଫଳରେ ଦ୍ରୁତ ଗତିରେ ଚାଲୁଥିବା ଉକ୍ତ ବସ୍ ଡିଭାଇଡର୍ରେ ବାଜି ଓଭର୍ବ୍ରିଜ୍ ଧାରରେ ଲାଗିଥିବା ଲୁହା ବାଡ଼ା ଉପରେ ଓଲଟିପଡ଼ିବାରୁ ତାହା ଭାଙ୍ଗିଗଲା। ତା’ପରେ ବସ୍ ସିଧା ତଳେ ଯାଇଥିବା ରେଳଧାରଣା ଉପରେ ଖସିପଡ଼ିଲା।
ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇ କୋତ୍ୱାଲି, ସଦର, ‘ଜିଆର୍ପି’ ଏବଂ ‘ଆର୍ପିଏଫ୍’ ସମେତ କେତେକ ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ମୃତାହତ ଯାତ୍ରୀଙ୍କୁ ବାହାର କରିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ୍ ଯୋଗେ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। ୨ଜଣ ମହିଳାଙ୍କ ସମେତ ସମୁଦାୟ ୪ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ଗୁରୁତର ଆହତ ହୋଇଥିବା ୫ଜଣଙ୍କୁ ଜୟପୁରକୁ ‘ରେଫର୍’ କରାଯାଇଛି।
ରେଳପଥ ଉପରେ ବସ୍ ଖସିପଡ଼ିଥିବା କଥା ରେଳବାଇ କଣ୍ଟ୍ରୋଲ୍ ରୁମ୍କୁ ସୂଚନା ଦିଆଯିବା ପରେ ଜୟପୁର-ଦିଲ୍ଲୀ ରେଳପଥରେ ଯାତାୟାତ କରୁଥିବା ଟ୍ରେନ୍ଗୁଡ଼ିକୁ ତୁରନ୍ତ ଅଟକାଇବାକୁ ସତର୍କ କରାଇ ଦିଆଯାଇଥିଲା।