୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ସ୍ଥାନ ପାଇଲେ ଏହି ୪ ପ୍ରସିଦ୍ଧ ଓଡ଼ିଆ

ନୂଆଦିଲ୍ଲୀ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଗତବର୍ଷ  ମଧ୍ୟ ଏହି ସୂଚୀରେ ରାଜ୍ୟର ଏହି ଦୁଇ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ସ୍ଥାନୀତ ହୋଇଥିଲେ । ତେବେ ଏଥିସହ ଦୁଇ ବରିଷ୍ଠ ଓଡ଼ିଆ ଅଧିକାରୀ ମଧ୍ୟ ଶକ୍ତିଶାଳୀ ବ୍ୟକ୍ତିଙ୍କ ସୂଚୀରେ ସ୍ଥାନ ପାଇଛନ୍ତି।

ପଞ୍ଚମ ଥର ଲାଗି କ୍ରମାଗତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ତାଲିକାର ୩୯ତମ ସ୍ଥାନରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୧୪ତମ ସ୍ଥାନରେ ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦୀ ସରକାରରେ କ୍ରମାଗତ ଦ୍ୱିତୀୟ ବାର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ଓଡ଼ିଶାରେ ବିଜେପିର ପୋଷ୍ଟର ବୟ ଭାବେ ପରିଗଣିତ ହେଉଛନ୍ତି ।

ସେହିପରି ଓଡ଼ିଶାର ସମ୍ବଲପୁରରେ ଜନ୍ମିତ ଆଇଏଏସ୍ ଅଧିକାରୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଏହି ତାଲିକାରେ ୧୯ ତମ ସ୍ଥାନରେ ଅଛନ୍ତି । ଜାତୀୟସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ୟତମ ଓଡ଼ିଆ ଅଧିକାରୀ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୯ତମ ସ୍ଥାନରେ ଦେଖିବାକୁ ମିଳିଛନ୍ତି।

ଉଲେଖଯୋଗ୍ୟ କି ଏହି ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିବା ବେଳେ ତାଙ୍କ ପଛକୁ ଯଥାକ୍ରମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ ରହିଛନ୍ତି ।

ସମ୍ବନ୍ଧିତ ଖବର