୨୦୧୪ ବର୍ଦ୍ଧମାନ ବୋମା ବିସ୍ଫୋରଣ ଘଟଣାରେ ୪ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଦୋଷୀ ସାବ୍ୟସ୍ତ

କୋଲକତା : ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ୨୦୧୪ରେ ହୋଇଥିବା ବୋମା ବିସ୍ଫୋରଣରେ ୪ ଜଣ ଜମାଏତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ସଦସ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏକ ଏନଆଇଏ ସ୍ୱତନ୍ତ୍ର କୋର୍ଟ । ଏହି ୪ ଆତଙ୍କବାଦୀ ଜିଆଉଲ ହକ, ମୋତିଉର ରେହମାନ,ମହମ୍ମଦ ୟୁସୁଫ ଓ ଜାହିରୁଲ ଶେଖକୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡ ଶୁଣାଇଛନ୍ତି ।

୨୦୧୪, ଅକ୍ଟୋବର ୨ରେ ବର୍ଦ୍ଧମାନର ଖଗ୍ରାଗଡ଼ ଟାଉନରେ ଥିବା ଏକ ଭଡ଼ାଘରର ପ୍ରଥମ ମହଲାରେ ଏହି ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲା । ଏ ସମସ୍ତ ବ୍ୟକ୍ତି ଜେଏମବି ଆତଙ୍କବାଦୀ ଥିଲେ ବୋଲି ଏନଆଇଏ ତଦନ୍ତରୁ ଜଣାପଡ଼ିଥିଲା । ଏହି ବ୍ୟକ୍ତିମାନେ ବର୍ଦ୍ଧମାନରେ ବୋମା ବିସ୍ଫୋରଣ କରିବାକୁ ଆଇଇଡି ପ୍ରସ୍ତୁତ କରୁଥିବାବେଳେ ଦୁର୍ଘଟଣାବଶତଃ ତାହା ବିସ୍ଫାରିତ ହୋଇଥିଲା ।

ଏହି ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଜିଆ-ଉଲ ରେହମାନ ୨୦୧୪ରେ ଗିରଫ ହୋଇଥିଲା । ତାକୁ ଜେରା ପରେ ମିଳିଥିବା ସୂଚନା ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା ।
ପ୍ରଥମେ ପଶ୍ଚିମ ବଙ୍ଗ ପୁଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ଆତଙ୍କବାଦୀ ଲିଙ୍କ ବାହାରିବାରୁ ପରେ ଏହାର ତଦନ୍ତ ଭାର ଏନଆଇଏ ହାତକୁ ଯାଇଥିଲା । ଏନଆଇଏ ପକ୍ଷରୁ କୁହାଯାଇଛି ଭାରତରେ ନିଜର ସଦସ୍ୟ ସଂଖ୍ୟା ବଢାଇ ଆତଙ୍କବାଦୀ କାର୍ଯ୍ୟକଳାପ ବଢାଇବାକୁ ଉଦ୍ୟମ କରୁଥିଲା ଜେଏମବି ।

ସମ୍ବନ୍ଧିତ ଖବର