ନୂଆଦିଲ୍ଲୀ : ପଞ୍ଜାବର ଭଟିଣ୍ଡା ସେନା ଘାଟିରେ ବୁଧବାର ସକାଳେ ଗୁଳିମାଡ଼ରେ ୪ ଜଣ ଯବାନଙ୍କ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଭୋର ୪.୩୫ ସମୟ‌ରେ ଭଟିଣ୍ଡା ସାମରିକ ଘାଟିର ଅଫିସର୍‌ ମେସ୍‌ରେ ଏହି ଗୁଳିକାଣ୍ଡ ହୋଇଥିଲା। ଯବାନମାନେ ଶୋଇଥିବା ସମୟରେ ସେମାନଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରାଯାଇଛି। ଘଟଣା ପରେ ‘କ୍ବିକ୍‌ ରିଆକ୍ସନ୍‌ ଟିମ୍‌’ ସକ୍ରିୟ ହୋଇଥିଲେ ଏବଂ ଉକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଥିଲା। ହେଲିକପ୍‌ଟର ଓ ଡ୍ରୋନ୍‌ ମାଧ୍ୟମରେ ସମଗ୍ର ଅଞ୍ଚଳ ଉପରେ ନଜର ରଖାଯାଇଥିଲା। ଏହା ଏକ ଆତଙ୍କବାଦୀ କାଣ୍ଡ ନୁହେଁ। ଯବାନମାନଙ୍କ ନିଜସ୍ବ କଳହ ଏବଂ ବିବାଦ ପାଇଁ ଏହି ଗୁଳିକାଣ୍ଡ ହୋଇଥିବା ପଂଜାବ ପୁଲିସ ଏଡିଜି ଏସପିଏସ୍‌ ପାରମର କହିଛନ୍ତି। ଗୁଳିକାଣ୍ଡରେ ପ୍ରାଣ ହାରିଥିବା ୪ ଜଣ ଯବାନ ହେଉଛନ୍ତି ଭାରତୀୟ
ସେନାର ୮୦ ମିଡିୟମ ରେଜିମେଣ୍ଟ୍‌ର। ସେମାନେ ହେଉଛନ୍ତି ସାଗର ବାନ୍ନେ (୨୫), କମଳେଶ ଆର୍‌(୨୪), ଯୋଗେଶ କୁମାର (୨୪) ଏବଂ ସନ୍ତୋଷ ଏମ ନାଗରାଲ (୨୫)।

Advertisment

ସାମରିକ ଘାଟିରେ ଥିବା ଆର୍ଟିଲେରି ବିଭାଗରେ ଏହି ଗୁଳିକାଣ୍ଡ ହୋଇଛି।। ଅନ୍ୟପକ୍ଷେ ଗୁଳିମାଡ଼ କରିଥିବା ୨ ଜଣ ଏବେ ଫେରାର୍‌ ଅଛନ୍ତି। ସେମାନେ ସାଧା ପୋଷାକରେ ଆସି ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି। ୨ ଦିନ ହେବ ଏହି ସେନା ଘାଟିରୁ ଏକ ଆସଲ୍ଟ ରାଇଫଲ୍‌ ସମେତ ୨୮ଟି କାଟ୍ରିଜ୍ ଗାଏବ ହୋଇଯାଇଥିଲା। ତେଣୁ କିଛି ସେନା ସଦସ୍ୟ ହିଁ ଏହି ଘଟଣାରେ ସମ୍ପୃକ୍ତ ବୋଲି ପଂଜାବ ପୁଲିସ ସନ୍ଦେହ କରୁଛି। ଇତିମଧ୍ୟରେ ଭଟିଣ୍ଡା ଆର୍ମି କ୍ୟାଣ୍ଟନମେଣ୍ଟ୍‌ର ସମସ୍ତ ଗେଟ୍‌ ବନ୍ଦ ରହିଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଭଟିଣ୍ଡା ଆକ୍ରମଣ ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରିଛନ୍ତି। ଇତିମଧ୍ୟରେ ବରିଷ୍ଠ ପୁଲିସ ଅଧିକାରୀ ଅଜୟ ଗାନ୍ଧି କହିଛନ୍ତି, ଗାଏବ ହୋଇଥିବା ବନ୍ଧୁକ ସହିତ ୧୯ଟି ବୁଲେଟ ମିଳିଛି। ହତ୍ୟାକାଣ୍ଡରେ ଅନ୍ୟ ମାରଣାସ୍ତ୍ର ମଧ୍ୟ ବ୍ୟବହୃତ ହୋଇଥିବା ଜଣାପଡ଼ିଛି।