ଜମ୍ମୁ: ଜମ୍ମୁ-କଶ୍ମୀରରେ ବସରେ ନିଆଁ ଲାଗିବାରୁ ୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରର କାଟ୍ରାଠାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ବସ୍ କାଟ୍ରାଠାରୁ ଜମ୍ମୁ ଅଭିମୁଖେ ଯାଉଥିବାବେଳେ ଖର୍ମାଲ ନିକଟରେ ବସରେ ନିଆଁ ଲାଗିଯାଇଥିଲା।
ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ପ୍ରଥମେ ଇଞ୍ଜିନରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା ଯାହା ପରେ ପୁରା ବସକୁ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଡାକ୍ତରଖାନରେ ମୃତ୍ୟୁ ହୋଇଛି। ଏହା ସହ ଗୁରୁତର ଆହତ ହୋଇଥିବା ୨୦ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Extremely pained by the loss of lives in the tragic bus incident in Katra. I offer my deepest condolences to the bereaved families and prayers for the speedy recovery of the injured. Directed district administration to ensure best possible treatment to the injured.
— Office of LG J&K (@OfficeOfLGJandK) May 13, 2022
ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ, “କାଟ୍ରାଠାରେ ଘଟିଥିବା ବସ୍ ଦୁର୍ଘଟଣାରେ ତୀର୍ଥଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ଜାଣି ମୁଁ ଦୁଃଖିତ। ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଆହତମାନଙ୍କୁ ଯଥା ସମ୍ଭବ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ”