କାବୁଲର ମସଜିଦରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୪, ୨୦ ଆହତ

କାବୁଲ : ପୁଣି ରକ୍ତରଂଜିତ ହୋଇଛି ଆଫଗାନିସ୍ତାନର ରାଜଧାନୀ କାବୁଲ । ବୁଧବାରଦିନ କାବୁଲର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମସଜିଦଟି ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପରିସରରେ ଥିଲା । ଏ ସଂପର୍କରେ ମନ୍ତ୍ରାଳୟର ମୁଖପାତ୍ର ଅବଦୁଲ ନଫାଇ ଟାକୋର ଗଣମାଧ୍ୟମକୁ ସୂଚନା ଦେବା ସହ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି । କାବୁଲରେ ଗତ କିଛି ଦିନ ହେଲା ବାରମ୍ବାର ବୋମା ବିସ୍ଫୋରଣ ହେବାରେ ଲାଗିଛି ।

କିଛିଦିନ ପୂର୍ବରେ କାବୁଲର ଏକ ସ୍କୁଲରେ ବୋମା ବିସ୍ଫୋରଣ ହେବାରୁ ୫୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଓ ସେମାନଙ୍କ ମଧ୍ୟରୁ ୪୬ ଜଣ ମହିଳା ଥିଲେ । ଏହି ଘଟଣାରେ ୧୦୦ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରୁ ୩୧ ଜଣଙ୍କ ବୟସ ୧୭ରୁ ୨୦ ବର୍ଷ ମଧ୍ୟରେ ହେବ । ଏପରିକି ଜଣେ ୧୪ ବର୍ଷୀୟା ବାଳିକା ବି ପ୍ରାଣ ହରାଇଥିଲା । ଏହି ଘଟଣାକୁ ନେଇ ସାରା ବିଶ୍ବରେ ସମବେଦନା ପ୍ରକାଶ ପାଇଥିଲା ।

୨୦୨୧ ଅଗଷ୍ଟ ମାସରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ଇସ୍ଲାମିକ ଷ୍ଟେଟ ବା ଆଇଏସ ପକ୍ଷରୁ ନିୟମିତ ବ୍ୟବଧାନରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରାଯାଉଛି । ଏସବୁ ଘଟଣାକୁ ରୋକିବାରେ  ତାଲିବାନ ବିଫଳ ହେଉଥିବା ଲକ୍ଷ୍ୟ କରାଯାଉଛି ।

ସମ୍ବନ୍ଧିତ ଖବର