ନୂଆଦିଲ୍ଲୀ: ନିଟ୍-ୟୁଜି ପେପର୍ ଲିକ୍ ମାମଲାର ତଦନ୍ତ କରୁଥିବା ସିବିଆଇ ବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବିହାର ଏବଂ ଗୁଜରାଟର ଗୋଧ୍ରାକୁ ସ୍ବତନ୍ତ୍ର ଟିମ୍ ପଠାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ନିଟ୍ ପେପର ଲିକ୍ ମାମଲାର ତ୍ବରିତ ପର୍ଦ୍ଦାଫାସ ପାଇଁ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିସାରିଛି ସିବିଆଇ। ତଦନ୍ତ ପ୍ରକ୍ରିୟା ୪ଟି ପର୍ଯ୍ୟାୟରେ ଚାଲିବ। ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଛାପିବା, ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଇବା ଓ ରଖିବା ଭଳି ପ୍ରତ୍ୟେକଟି ଦିଗକୁ ସିବିଆଇ ଭଲଭାବେ ଯାଞ୍ଚ କରିବ । ପ୍ରଶ୍ନପତ୍ର ପ୍ରସ୍ତୁତି, ପ୍ରଶ୍ନପତ୍ର ଛାପିବା, ପ୍ରଶ୍ନପତ୍ର ପରିବହନ ଓ ପରୀକ୍ଷା ଆରମ୍ଭ ପୂର୍ବରୁ ଏହାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ଦାୟିତ୍ବରେ ଥିବା ଲୋକଙ୍କ ଉପରେ ସିବିଆଇ ଅଧିକାରୀମାନେ ଫୋକସ୍ କରିବେ। ବର୍ତ୍ତମାନ ଓ ଅତୀତରେ ଏଭଳି ମାମଲା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସଂଖ୍ୟା ଏକ ହଜାର ହେବ। ସେମାନଙ୍କର ମୋବାଇଲ୍ ଫୋନ୍ ନମ୍ବର ମଧ୍ୟ ସଂଗ୍ରହ କରାଯାଇଛି। ସେମାନଙ୍କ ଫୋନ୍ ନମ୍ବର ଯାଞ୍ଚ କରାଯିବା ସହିତ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯିବ। ପୂର୍ବ ମାମଲା ସହ ଏହି ମାମଲାର କିଛି ସମ୍ପୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ସିବିଆଇ ତଦନ୍ତ କରିବ।
ବିହାର, ଗୁଜରାଟ ଏବଂ ମହାରାଷ୍ଟ୍ର ପରେ ଏବେ ନିଟ୍ ପେପର୍ ଲିକ୍ ମାମଲାରେ ଦିଲ୍ଲୀ ଲିଙ୍କ୍ ମିଳିଛି। ନିଟ୍ ପେପର ଲିକ୍ ମାମଲାରେ ସମ୍ପୃକ୍ତି ପାଇଁ ୨ ଜଣ ମହାରାଷ୍ଟ୍ର ସ୍କୁଲ୍ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତକାଲି ସଂଜୟ ଟୁକରାମ ଯାଦବ ଏବଂ ଜଲିଲ ଉମରଖାନ ପଠାନଙ୍କୁ ଏଟିଏସ୍ (ଆତଙ୍କବାଦ ନିରୋଧ ସ୍କ୍ବାଡ୍) ଉଠାଇ ନେଇଛି। ସେମାନେ ଜିଲ୍ଲା ପରିଷଦ ସ୍କୁଲ୍ରେ ପାଠ ପଢ଼ାଉଥିଲେ ଏବଂ ଲାଟୁରରେ ଏକ ଘରୋଇ କୋଚିଂ ସେଣ୍ଟରର ପରିଚାଳନା କରୁଥିଲେ। ପୁଲିସ ସେମାନଙ୍କ ମୋବାଇଲ ଫୋନ୍ରୁ ଅନେକ ଛାତ୍ରଙ୍କ ଆଡମିଟ୍ କାର୍ଡ ଏବଂ ହ୍ବାଟ୍ସଆପ୍ ଚାଟ୍ ପାଇଛି। ଉଭୟ ଜଲିଲ ଏବଂ ସଂଜୟ ଟୁକରାମଙ୍କର ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କ ସହ ସମ୍ପୃକ୍ତି ଥିଲା। ଦିଲ୍ଲୀର ଗଙ୍ଗାଧର ନାମକ ଜଣେ ବ୍ୟକ୍ତି ଉଭୟ ସଂଜୟ ଏବଂ ଜଲିଲଙ୍କୁ ଏହି ମାମଲାରେ ସହଯୋଗ କରିଥିଲା। ମହାରାଷ୍ଟ୍ର ପୁଲିସ ଦ୍ବାରା ରୁଜୁ ହୋଇଥିବା ଏତଲାରେ ମଧ୍ୟ ଗଙ୍ଗାଧର ଏବଂ ଇରାନ୍ନା କୋଙ୍ଗଲୱରଙ୍କ ନାଁ ଅଛି। ସେମାନଙ୍କ ବିରୋଧରେ ଠକେଇ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରହିଛି। ପୂର୍ବରୁ ବିହାର ପୁଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା। ସେମାନେ ପରୀକ୍ଷାର ଠିକ୍ ପୂର୍ବଦିନ ପ୍ରଶ୍ନ ପତ୍ର ପ୍ରଘଟ କରିଥିବା ସ୍ବୀକାର କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ହୋଇଛି। ଏକ ନିର୍ଦ୍ଦିଷ୍ଟ କେନ୍ଦ୍ରରୁ ଅନେକ ପରୀକ୍ଷାର୍ଥୀ ସମାନ ୭୨୦ ନମ୍ବର ରଖିବାପରେ ଏହାକୁ ନେଇ ବିବାଦ ହେଲା। ଜଣାପଡ଼ିଲା ଯେ ବିହାରରେ ପରୀକ୍ଷା ପୂର୍ବଦିନ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଚଳିତ ବର୍ଷ ପାଖାପାଖି ୨୪ ଲକ୍ଷ ଛାତ୍ର ନିଟ୍-ୟୁଜି ପରୀକ୍ଷା ଦେଇଛନ୍ତି ଏବଂ ୯ ଲକ୍ଷରୁ ଅଧିକ ଛାତ୍ର ୟୁଜିସି ନେଟ୍ ପରୀକ୍ଷା ଦେଇଛନ୍ତି।