ଜମ୍ମୁ ଓ କଶ୍ମୀର: ସୁରକ୍ଷା କମୀଙ୍କ ଗୁଳି ମାଡ଼ରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବୁଦଗାମ ଅଞ୍ଚଳର ଫୁଲ୍‌ତିପୋରା ଗ୍ରାମରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ଏଥିରେ ଆଉ ଦୁଇଜଣ ଯୁବକ ମଧ୍ୟ ଆହତ ହୋଇଛନ୍ତି।
ସେନାବାହିନୀର ଲୋକ ସମ୍ପର୍କ ଅଧିକାରୀଙ୍କ ଠାରୁ ପ୍ରକାଶ ଯେ, ଫୁଲ୍‌ତିପୋରା ଗ୍ରାମରେ କେତେକ ଆତଙ୍କବାଦୀ ଛପି ରହିଥିବା ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇ ଆଜି ସକାଳେ ସେନାବାହିନୀ, ସିଆରପିଏଫ ଓ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା। ଯେତେବେଳେ ମିଳିତ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହେଲା, ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ବୁଦଗାମ୍‌ ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।
ଅପରପକ୍ଷେ ଉତ୍ତର କଶ୍ମୀର ବାରମୁଳା ଜିଲ୍ଲା ଅନ୍ତର୍ଗତ ସୋପୋର ସହରରେ ଆତଙ୍କବାଦୀ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର