ଜାମ୍ମୁ : ୪ ଆତଙ୍କବାଦୀଙ୍କୁ ମାରି ଖସାଇଲା ସେନା

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲା ସ୍ଥିତ ସୁନ୍ଦରବନି ଅଂଚଳରେ ବୁଧବାରଦିନ ସୁରକ୍ଷାବଳଙ୍କ ଦ୍ୱାରା ହୋଇଥିବା ଅପରେସନରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଆତଙ୍କବାଦୀମାନେ ପାକିସ୍ତାନପଟୁ ଆସିଥିବା ସଂଦେହ କରାଯାଉଛି । ଏହି ଆତଙ୍କବାଦୀମାନେ ୪-୫ ଦିନ ତଳେ ନିୟନ୍ତ୍ରଣ ରେଖା ଦେଇ ପ୍ରବେଶ କରିଥିବା ଜାମ୍ମୁ ଓ କାଶ୍ମୀର ପୁଲିସ ସଂଦେହ କରୁଛି । ତେବେ ସଂପୃକ୍ତ ଅଂଚଳରେ ଆଉ କିଛି ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ରିପୋର୍ଟ ମିଳିଥିବାରୁ ସେନା ପକ୍ଷରୁ ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଚାଲିଛି । ଗତ ଦୁଇଦିନ ହେଲା ଏହି ସର୍ଚ୍ଚ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ଏହି ଅଂଚଳରେ ଥିବା ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଛି । ଏ ସଂପର୍କରେ ସୂଚନା ଦେଇ ରାଜ୍ୟର ଡିଜିପି ଏସ.ପି.ବୈଦ୍ୟ କହିଛନ୍ତି ଯେ ଭାରତରେ ଆତଙ୍କବାଦୀ ପଶିଥିବା ଗୁଇନ୍ଦା ରିପୋର୍ଟ ମିଳିବାପରେ ସେନା, ବିଏସଏଫ ଓ ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏହି ଖାନତଲାସୀ ବେଳେ ସ୍ଥାନୀୟ ଏକ ବଣୁଆ ଅଂଚଳରେ ଲୁଚିଥିବା ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ । ସେନା ପକ୍ଷରୁ ତୁରନ୍ତ ଏହାର ଜବାବ ଦିଆଯାଇଥିଲା । ଏହି ଏନକାଉଣ୍ଟରରେ ୪ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆତଙ୍କବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିବା ଯୋଜନାରେ ଥିଲେ ।

ସମ୍ବନ୍ଧିତ ଖବର