ଜମ୍ମୁ-କଶ୍ମୀର: ୪ ମାସ ବିତିଲା ପରେ ବି ଓମର ଅବଦୁଲ୍ଲା ଓ ମେହେବୁବା ମୁଫ୍‌ତିଙ୍କୁ କେବେ ମୁକ୍ତି ମିଳିବ ତାହା କୁହାଯାଇ ପାରିବ ନାହିଁ; ସ୍ପଷ୍ଟ କଲା ସ୍ବରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଗତ ଅଗଷ୍ଟ ୪ ତାରିଖ ଠାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଅଟକ ରଖିଥିବା ଜମ୍ମୁ- କଶ୍ମୀରର ରାଜନେତାମାନଙ୍କୁ କେବେ ମୁକ୍ତ କରିବେ, ସେ ସଂପର୍କରେ କୌଣସି ପ୍ରକାରର ସୂଚନା ପ୍ରଦାନ କରୁନାହାନ୍ତି। ବିଶେଷ କରି ଗତ ୪ ମାସ ଧରି ଅଟକ ରହିଥିବା ଜମ୍ମୁ- କଶ୍ମୀରର ଟାଣୁଆ ନେତା ରୂପେ ବିବେଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହେବୁବା ମୁଫ୍‌ତିଙ୍କୁ କେବେ ମୁକ୍ତି ମିଳିବ, ସେ ସଂପର୍କରେ କୌଣସି ପ୍ରକାରର ତଥ୍ୟ ବା ସୂଚନା ପ୍ରଦାନ କରିବାକୁ ମନା କରି ଦେଇଛନ୍ତି କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ।

Kashmir Life

କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବୁଧବାର ଦିନ ଏ ସଂପର୍କରେ କୁହାଯାଇଛି ଯେ ଜମ୍ମୁ- କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଗତ ଅଗଷ୍ଟ ୪ ତାରିଖ ଠାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଅଟକ ସର୍ବମୋଟ ୫,୧୬୧ ଜଣଙ୍କୁ ପ୍ରଶାସନ ପକ୍ଷରୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରୁ ୬୦୯ ଜଣ ବିଚ୍ଛିନ୍ନତାବାଦୀ ରାଜନୈତିକ ନେତା ହୋଇଥିବା ବେଳେ ଅନ୍ୟମାନେ ହେଉଛନ୍ତି ପଥର ଫିଙ୍ଗାଳି। ଶାନ୍ତି ଶୃଙ୍ଖଳା ଭଙ୍ଗ ଆଶଙ୍କାରେ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଏମାନଙ୍କୁ ପ୍ରଶାସନ ପକ୍ଷରୁ ଅଟକ ରଖାଯାଇଛି। ତେଣୁ, ସ୍ଥିତିକୁ ସମୀକ୍ଷା କରି ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏମାନଙ୍କୁ ମୁକ୍ତ କରାଯିବ। ତେଣୁ, ଅଟକ ଥିବା ବ୍ୟକ୍ତି ବିଶେଷମାନଙ୍କୁ କେବେ ମୁକ୍ତ କରାଯିବ, ସେଥିନେଇ କୌଣସି ପ୍ରକାରର ନିର୍ଦ୍ଦି‌ଷ୍ଟ ସମୟ ଘୋଷଣା କରାଯାଇ ପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ସମ୍ବନ୍ଧିତ ଖବର