ଦେଶରେ ଆଉ ୪ ଏକ୍ସପ୍ରେସୱେ ନିର୍ମାଣ ହେବ

ନୂଆଦିଲ୍ଲୀ: ଦେଶରେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ୧୩୮୦ କିମି ବିଶିଷ୍ଟ ଏକ୍ସପ୍ରେସୱେ ପ୍ରକଳ୍ପ ଏବେ କାର୍ଯ୍ୟକାରୀ ହେଉଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ଶୀଘ୍ର ଏହି ପ୍ରକଳ୍ପ କାମ ଶେଷ କରିବ। ଏହାଦ୍ବାରା ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ୨୪ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟାକୁ କମିଆସିବ। ଉକ୍ତ ପ୍ରକଳ୍ପ ପରେ କେନ୍ଦ୍ର ସରକାର ଯେଉଁ ୪ଟି ନୂଆ ଏକ୍ସପ୍ରେସୱେ ପ୍ରକଳ୍ପ ହାତକୁ ନେବ ସେଗୁଡ଼ିକ ହେଲା ଅହମଦାବାଦ-ଧୋଲେରା, ଦିଲ୍ଲୀ-ଅମୃତସର-କଟାରା, ବେଙ୍ଗାଲୁରୁ-ଚେନ୍ନାଇ ଏବଂ କାନପୁର-ଲକ୍ଷ୍ନୌ।

କାନପୁର-ଲକ୍ଷ୍ନୌ ଏକ୍ସପ୍ରେସୱେ ପ୍ରକଳ୍ପ କା ଚଳିତବର୍ଷ ଡିସେମ୍ବରରେ ଆରମ୍ଭ ହେବା ଯୋଜନା ରହିଛି। ଏହି ପ୍ରକଳ୍ପ ପାଇଁ ପାଖାପାଖି ୭୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି। ଏହା ସମ୍ଭବତଃ ଦେଶର ପ୍ରଥମ ଡିଜିଟାଲ ହାଇୱେ ହେବ। ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପାଇଁ ରାସ୍ତା ନିର୍ମାଣ ଉପକରଣରେ ସେନସର୍‌ ବ୍ୟବହାର ହେବ। ୬୩ କିମି ବିଶିଷ୍ଟ ଏହି ରାସ୍ତା ନିର୍ମାଣ ହେଲେ ଯାତ୍ରା ସମୟ ଅଧାକୁ କମିଯିବ। ଏଥିସହିତ ଉକ୍ତ ପ୍ରକଳ୍ପ ପାଇଁ ୪୭୦୦ କୋଟି ଟଙ୍କା ବ୍ୟୟ ହେବ। ଦିଲ୍ଲୀ-ଅମୃତସର-କଟାରା ମଧ୍ୟରେ ଯେଉଁ ଏକ୍ସପ୍ରେସୱେ ନିର୍ମାଣ ହେବ ତାହା ମୁଖ୍ୟତଃ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ କରାଯିବ। କଟାରା ଏବଂ ବୈଷ୍ନୋଦେବୀ ମଧ୍ୟରେ ଏହା ଯୋଗାଯୋଗ ସ୍ଥାପନ କରିବ। ଦୁଇ ସ୍ଥାନ ମଧ୍ୟରେ ଦୂରତା ବର୍ତ୍ତମାନର ୭୨୭ କିମିରୁ ୫୭୨ କିମିକୁ କମିଯିବ। ଉକ୍ତ ରାସ୍ତା ଶିଖ୍‌ ଧର୍ମର ଏକାଧିକ ପବିତ୍ର ସ୍ଥାନକୁ ସଂଯୋଗ କରିବ। ଉକ୍ତ ୪ଟି ଯାକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୪-୨୫ ଆର୍ଥିକ ‌ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ଦାବି ହେଲା ଯାତ୍ରା ସମୟ ହ୍ରାସ ସହିତ ବାୟୁ ପ୍ରଦୂଷଣ ମଧ୍ୟ କମିବ। ଟ୍ରାଫିକ୍ ସମସ୍ୟା ବି ଦୂର ହେବ।

ସମ୍ବନ୍ଧିତ ଖବର