ନୂଆଦିଲ୍ଲୀ: ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ଆତିଶୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୋ ରାଜନୈତିକ କ୍ୟାରିୟର ବଞ୍ଚାଇବା ପାଇଁ ବିଜେପି ମୋତେ ଦଳରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲା। ଯଦି ସେ ବିଜେପିରେ ଯୋଗଦେବାକୁ ମନା କରନ୍ତି ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଏକ ମାସ ମଧ୍ୟରେ ଗିରଫ କରିବ ବୋଲି ଧମକ ମିଳିଥିଲା ବୋଲି ଆତିଶୀ କହିଛନ୍ତି। ‘ପ୍ରଧାନମନ୍ତ୍ରୀ ଓ ବିଜେପି ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ଦମନ କରିବାକୁ ଚାହୁଛନ୍ତି ଏବଂ ଆମକୁ ସବୁ ଦୃଷ୍ଟିରୁ ଦୁର୍ବଳ କରି ରଖିବାକୁ ପ୍ରୟାସ କରୁଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ମୋ ସମେତ ୪ ଜଣ ଆପ୍ ନେତାଙ୍କୁ ଗିରଫ କରିବାକୁ ଯୋଜନା କରୁଛି। ସେମାନେ ମୋତେ, ସୌରଭ ଭରଦ୍ୱାଜ, ରାଘବ ଚଢ଼ା ଏବଂ ଦୁର୍ଗେଶ ପାଠକଙ୍କୁ ଗିରଫ କରିବାକୁ ଯୋଜନା କରୁଛନ୍ତି ବୋଲି ଆତିଶୀ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ଆତିଶୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଏବଂ ମିଛ କହିବାରେ ଆପ୍ ନେତାମାନେ ରେକର୍ଡ ଭାଙ୍ଗୁଥିବା କହିଛି।
ସୂଚନାଯୋଗ୍ୟ, ଅବକାରୀ ନୀତି ମାମଲାରେ ପଚରାଉଚରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆତିଶୀ ଏବଂ ସୌରଭ ଭରଦ୍ୱାଜଙ୍କ ନାମ ନେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିବାର ଗୋଟିଏ ଦିନ ପରେ ଆପ୍ ନେତ୍ରୀ ଆତିଶୀ ସାମ୍ବାଦିକ ସମ୍ମିଳନୀରେ ଏଭଳି ମତ ରଖିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ବିଜେପି ଏହି ଅଭିଯୋଗ ନେଇ ପ୍ରମାଣ ଦାବି କରିଛି। ଆପ୍ର ପୂର୍ବତନ ଯୋଗାଯୋଗ ପ୍ରଭାରୀ ବିଜୟ ନାୟାର ଏହି ମାମଲାର ଅନ୍ୟତମ ଅଭିଯୁକ୍ତ। ସେ ଏବେ ଜେଲରେ ଅଛନ୍ତି। ମଦ ନୀତି ଲାଗୁ ହେବାବେଳେ ନାୟାର ଆତିଶୀ ଓ ଭରଦ୍ବାଜଙ୍କ ସହ ଯୋଗାଯୋଗରେ ରହି କାମ କରୁଥିବା କେଜ୍ରିୱାଲ କହିଛନ୍ତି ବୋଲି ଇଡି ଅଦାଲତରେ କହିଛି। ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି ଯେ ଦୁର୍ନୀତି ବିରୋଧରେ ଦଳର ଶୂନ୍ୟ ସହନଶୀଳତା ରହିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ହେଉଛି ଦୁର୍ନୀତି ହଟାଇବା। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଗଣମାଧ୍ୟମକୁ କହିଛନ୍ତି ଯେ ସବୁଠାରୁ ଅଧିକ ମିଛ କହିବା ଏବଂ ସବୁଠାରୁ ଅଧିକ ମିଥ୍ୟା ବୟାନ ଦେବାର ଟ୍ରାକ୍ ରେକର୍ଡ ଆମ୍ ଆଦ୍ମୀ ପାର୍ଟିର ରହିଛି।