ୱାସିଂଟନ୍: ଭାରତୀୟ ଆମେରିକୀୟଙ୍କ ସମର୍ଥନ ପାଇବାକୁ ଶନିବାର ଦିନ ଟ୍ରମ୍ପ୍ ନିର୍ବାଚନ ପ୍ରଚାର ଅଭିଯାନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଲାଗି ‘ଆଉ ୪ ବର୍ଷ’ ଶିରୋନାମାରେ ‘ହାଓଡି ମୋଦୀ’ ଓ ‘ନମସ୍ତେ ଟ୍ରମ୍ପ୍’ ଭିଡିଓ କ୍ଲିପ୍ ଟୁଇଟ୍ କରିଛି। ଏହି ଦୁଇଟି କାର୍ଯ୍ୟକ୍ରମରେ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅଭିଭାଷଣ ପ୍ରଦାନ କରିଥିଲେ।
‘ଟ୍ରମ୍ପ୍ ଭିକ୍ଟ୍ରି ଫାଇନାନ୍ସ୍ କମିଟି’ର ଜାତୀୟ ସଭାପତି କିମ୍ବର୍ଲି ଗିଲ୍ଫଏଲ୍ ସର୍ଟ ଭିଡିଓ ସହ ‘ଆଉ ୪ ବର୍ଷ’ ଶିରୋନାମାରେ ଟୁଇଟ୍ କରିଛନ୍ତି: ଆମେରିକା ଭାରତ ସହ ସୁସମ୍ପର୍କ ରଖି ଆମେରିକା ସୁଖ ପାଉଛି ଓ ଆମ ପ୍ରଚାର ଅଭିଯାନ ଭାରତୀୟ ଆମେରିକୀୟଙ୍କ ଠାରୁ ଖୁବ୍ ସମର୍ଥନ ପାଉଛି!
/sambad/media/post_attachments/wp-content/uploads/2020/08/mt-1.jpg)
ରାଷ୍ଟ୍ରପତିଙ୍କ ବଡ଼ପୁଅ ତଥା ଗିଲ୍ଫଏଲ୍ଙ୍କ ସହଯୋଗୀ ଡୋନାଲ୍ଡ୍ ଟ୍ରମ୍ପ୍ ଜୁନିଅର୍ ଏହି ପୋଷ୍ଟ୍କୁ ପୁଣି ଥରେ ଟୁଇଟ୍ କରିଛନ୍ତି। ସୋମବାର ଦିନ ଦ୍ବିତୀୟ ପାଳି ନିମନ୍ତେ ଟ୍ରମ୍ପ୍ଙ୍କୁ ରାଷ୍ଟ୍ରପତି ଏବଂ ମାଇକ୍ ପେନ୍ସ୍ଙ୍କୁ ଉପରାଷ୍ଟ୍ରପତି ଭାବେ ମନୋନୀତ କରିବାକୁ ରିପବ୍ଲିକାନ୍ ପାର୍ଟି ବୈଠକ ଡାକିଛି। ତେଣୁ, ୧.୨ ନିୟୁତ ଭାରତୀୟ ଆମେରିକୀୟଙ୍କୁ ଏହି ଭିଡିଓର ଯଥେଷ୍ଟ ଆବେଦନ ରହିବ। ଏହି ବୈଠକରେ ଭାରତୀୟ ଆମେରିକୀୟ ନିକ୍କି ହେଲି ମଧ୍ୟ ଅନ୍ୟତମା ପ୍ରବକ୍ତା ଭାବେ ଅଭିଭାଷଣ ପ୍ରଦାନ କରିବେ।
‘ଆଉ ୪ ବର୍ଷ’ ଭିଡିଓର ପରିକଳ୍ପନା କରିଥିବା ଏଆଇ ମାସନ୍ କହନ୍ତି, ଏହି ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଆବେଗିକ ବନ୍ଧନରେ ଦୃଢ଼ୀଭୂତ ଭାରତ ଓ ଆମେରିକା ମଧ୍ୟରେ ପରମ ମିତ୍ରତା ଓ ସ୍ନେହକୁ ବର୍ଣ୍ଣନା କରୁଛି। ଭାରତୀୟ ଆମେରିକୀୟ ଟ୍ରମ୍ପ୍ଙ୍କୁ ଖୁବ୍ ଶ୍ରଦ୍ଧା କରନ୍ତି।