ଚୀନ୍‌ ବିରୋଧରେ ୪ ରାଷ୍ଟ୍ର ଏକଜୁଟ୍‌, ମାଲାବାର ସମରାଭ୍ୟାସରେ ସାମିଲ ହେବ ଅଷ୍ଟ୍ରେଲିଆ

ଭାରତୀୟ ସୁରକ୍ଷା କର୍ମୀଙ୍କ କବ୍‌ଜାରେ ଚୀନ୍‌ ସୈନିକ

ନୂଆଦିଲ୍ଲୀ: ଆସନ୍ତାମାସରେ ହେବାକୁ ଥିବା ମାଲାବାର ନୌସେନା ସମରାଭ୍ୟାସ‌ରେ ସାମିଲ ହେବ ଅଷ୍ଟ୍ରେଲିଆ। ଭାରତ, ଆମେରିକା ଏବଂ ଜାପାନ୍‌ ସହ ଅଷ୍ଟ୍ରେଲିଆ ବି ମାଲାବାର ନୌସେନା ସମରାଭ୍ୟାସ‌‌ରେ ଅଂଶଗ୍ରହଣ କରିବ। ଆଜି ମୋଦୀ ସରକାର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ‌ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତି‌ରେ ଏହା କୁହାଯାଇଛି ଯେ, ଭାରତ ନୌସେନା ସୁରକ୍ଷା କ୍ଷେତ୍ରରେ ଅନ୍ୟ ରାଷ୍ଟ୍ରମାନଙ୍କ ସହ ସହଯୋଗ ବୃଦ୍ଧି କରିବାକୁ ଚାହୁଛି। ତେବେ ଅଷ୍ଟ୍ରେଲିଆ ସହ ଭାରତର ପ୍ରତିରକ୍ଷା ସହଯୋଗ ସୁଦୃଢ଼ ଦୃଷ୍ଟିରୁ ମାଲାବାର ୨୦୨୦ରେ ଅଷ୍ଟ୍ରେଲିଆ ନୌସେନା ସାମିଲ ‌ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏହି ବହୁପାକ୍ଷିକ ସମରାଭ୍ୟାସ ୧୯୯୨ରେ କେବଳ ଭାରତ ଓ ଆମେରିକାକୁ ନେଇ ଆରମ୍ଭ ହୋଇଥିଲା। ୨୦୧୫ରେ ଏଥିରେ ଜାପାନ ସାମିଲ ହୋଇଥିଲା ଏବଂ ଏବେ ପୁଣି ଅଷ୍ଟ୍ରେଲିଆ ସାମିଲ ହେବାକୁ ଯାଉଛି। ଗୋଟିଏ ପ‌ଟେ ଲଦାଖ୍‌ରେ ଭାରତ-ଚୀନ୍‌ ସୀମା ବିବାଦ ଲାଗି ରହିଥିବାବେଳେ ଅନ୍ୟପକ୍ଷେ ଚୀନ୍‌ ବିରୋଧରେ ଏହି ଚାରି ଶକ୍ତି ହାତ ମିଳାଇବାକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ମାଲାବାର ନୌସମରାଭ୍ୟାସକୁ ନେଇ ଚୀନ୍‌ ଦ୍ବନ୍ଦ୍ବରେ ଅଛି। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ର ପ୍ରଭାବ କମାଇବା ପାଇଁ ଏହି ମାଲାବାର ନୌସମରାଭ୍ୟାସ କରାଯାଉଛି ବୋଲି ଚୀନ୍‌ ମନେ କରୁଛି। ଏହି ସମରାଭ୍ୟାସ ୨ଟି ପର୍ଯ୍ୟାୟରେ ହେବ। ଆଣ୍ଡାମାନ୍‌ର ବଙ୍ଗୋପ ସାଗରରେ ପ୍ରଥମ ପର୍ଯ୍ୟାୟ ହେବାକୁ ଥିବାବେଳେ ଅନ୍ୟଟି ଆରବ ସାଗରରେ ହେବ। ନଭେମ୍ବର ୩ରୁ ୬ ପର୍ଯ୍ୟନ୍ତ ପ୍ରଥମ ଏବଂ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ହେବ।

ନୂଆଦିଲ୍ଲୀ: ଲଦାଖର ଚୁମର-ଦେମଚୋକ୍‌ ଇଲାକାକୁ ପଶି ଆସିଥିବା ଚୀନର ଜଣେ ସୈନିକ ଭାରତୀୟ ସୁରକ୍ଷା କର୍ମୀଙ୍କ ହାବୁଡ଼ରୁ ଖସି ଯାଇପାରିନାହାନ୍ତି। କର୍ପୋରାଲ୍‌ ଵାଙ୍ଗ୍‌ ୟା ଲଙ୍ଗ୍‌ ନାମକ ଉକ୍ତ ସୈନିକ ଜଣକ ସମ୍ପ୍ରତି ଭାରତୀୟ ସେନାବାହିନୀ ହେପାଜତରେ ଥିବା ଜଣାଯାଇଛି। ଜଣେ ସେନାଧିକାରୀଙ୍କ ସୂଚନାନୁଯାୟୀ, ଚୀନର ସୈନିକ ୟା ଲଙ୍ଗ୍‌ ପ୍ରକୃତ ନିୟନ୍ତ୍ରଣ ରେଖା ଟପି ଭାରତ ପଟକୁ ଚାଲି ଆସିଥିବା ବେଳେ ପୂର୍ବ ଲଦାଖର ଦେମଚୋକ୍‌ ସେକ୍ଟରରେ ଭାରତୀୟ ଯବାନଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ଆଉ ସେଠାରୁ ଖସି ଯାଇପାରିନଥିବା ବେଳେ ଭାରତୀୟ ଯବାନମାନେ ତାଙ୍କୁ ନିଜ ଆୟତ୍ତକୁ ନେଇ ଆସିଥିଲେ। ତେବେ ସଂପୃକ୍ତ ସୈନିକ ଜଣକ କୌଣସି ଉଦ୍ଦେଶ୍ୟ ନରଖି ଅସାବଧାନତାବଶତଃ ଭାରତୀୟ ପାର୍ଶ୍ବକୁ ପଳାଇ ଆସିଥିଲେ ଏବଂ ନିର୍ଦ୍ଧିଷ୍ଟ ନୀତି ନିୟମ ଅନୁସରଣ ପରେ ତାଙ୍କୁ ଚୀନର ସାମରିକ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ସେହିପରି ନିଜର ନିଖୋଜ ସୈନିକଙ୍କ ବିଷୟରେ ତଥ୍ୟ ହାସଲ ପାଇଁ ଚୀନ ସେନା ପକ୍ଷରୁ ମଧ୍ୟ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଅପରପକ୍ଷେ, ଅତ୍ୟୁଚ୍ଚ ସ୍ଥାନ ଏବଂ କଠୋର ଜଳବାୟୁ ସ୍ଥିତି ଜନିତ ପ୍ରତିକୂଳ ଅବସ୍ଥାରୁ ସୁରକ୍ଷା ଦେବା ପାଇଁ ୟା ଲଙ୍ଗ୍‌ଙ୍କୁ ଭାରତୀୟ ସେନା ପକ୍ଷରୁ ଖାଦ୍ୟ, ଅମ୍ଳଜାନ ଓ ଗରମ ପୋଷାକ ସମେତ ଆବଶ୍ୟକ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର