ରାୟପୁର : ଛତିଶଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ସରକାରୀ ହସ୍ପିଟାଲରେ ବିଦ୍ୟୁତ ବିଭ୍ରାଟ ଯୋଗୁ ୪ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେମାନଙ୍କୁ ଅନୁଧ୍ୟାନରେ ରଖାଯାଇଛି। ଉତ୍ତର ଛତିଶଗଡ଼ର ସୁରଗୁଜା ସ୍ଥିତ ଅମ୍ବିକାପୁର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଏସଏନ୍ସିୟୁ ( ସ୍ପେସାଲ ନ୍ୟୁବର୍ନ କେୟାର ୟୁନିଟ୍)ରେ ୨ରୁ ୩୬ ଦିନ ଭିତରେ ମୋଟ୍ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲ୍ରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଭେଣ୍ଟିଲେଟର ଏବଂ ଅକ୍ସିଜେନ ସପୋର୍ଟ ସିଷ୍ଟମ୍ ଚାଲିବା ବନ୍ଦ ହୋଇଯାଇଥିଲା। ଏହି କାରଣ ପାଇଁ ଶିଶୁମାନଙ୍କର ମୃତ୍ୟୁ ହୋଇଛି ବୋଲି ସେମାନଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।
ଛତିଶଗଡ଼ ସରକାର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୁରଗୁଜା ଜିଲ୍ଲା ଅଧିକାରୀମାନେ ବିଦ୍ୟୁତ କାଟିବା ଯୋଗୁ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଶନିବାର ରାତିରେ ହସ୍ପିଟାଲ୍ରେ ପ୍ରାୟ ଅଧଘଣ୍ଟାରୁ ୪୫ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହୋଇଥିଲା। କିନ୍ତୁ ରବିବାର ରାତି ଏବଂ ସୋମବାର ସକାଳେ ୪ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁ ୪ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସେମାନଙ୍କ ପରିବାର ସଦସ୍ୟ ଦାବି କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହାକୁ ସ୍ବୀକାର କରିନାହାନ୍ତି। ଛତିଶଗଡ଼ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।