ନିର୍ଭୟା ମାମଲା: ଦୀର୍ଘ ପ୍ରତୀକ୍ଷାର ଘଟିଲା ଅନ୍ତ; ଶୁକ୍ରବାର ପ୍ରତ୍ୟୁଷ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଅପରାଧୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ୪ ଅପରାଧୀଙ୍କ ସବୁ ଆଇନ୍‌ଗତ ଖେଳ ଶେଷ ହୋଇଯାଇଛି। ଆସନ୍ତାକାଲି (ମାର୍ଚ୍ଚ ୨୦ ତାରିଖ, ପ୍ରତ୍ୟୁଷ ୫ଟା୩୦ରେ) ଫାଶୀ ଖୁଣ୍ଟରେ ସମସ୍ତ ୪ ଅପରାଧୀଙ୍କୁ ଝୁଲାଇବା ପାଇଁ ତିହାର ଜେଲ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ତୃତୀୟ ଥର ପାଇଁ ଜାରି କରା ଯାଇଥିବା ମୃତ୍ୟୁ ପରଓ୍ଵାନା ବା ‘ଡେଥ୍‌ ଓ୍ଵାରେଣ୍ଟ’ ଉପରେ ରହିତାଦେଶ ଜାରି କରିବା ପାଇଁ ଅପରାଧୀମାନଙ୍କ ପକ୍ଷରୁ ଗତକାଲି (ବୁଧବାର) ଅପରାହ୍ଣରେ ଦିଲ୍ଲୀର ପାତିଆଲା ହାଉସ ଅଦାଲତରେ ଏକ ମାମଲା ଆଗତ ହୋଇଥିଲା।

ଅପରାଧୀ ଅକ୍ଷୟ ସିଂହ ପକ୍ଷରୁ ଆଗତ ମାମଲାରେ ତାଙ୍କ ଓକିଲ ଦର୍ଶାଇଥିଲେ ଯେ ଅକ୍ଷୟ ସିଂହ ଗତ ମଙ୍ଗଳବାର ଦିନ ରାଷ୍ଟ୍ରପତିଙ୍କ ନିକଟରେ ଦ୍ୱିତୀୟ ରାଜକ୍ଷମା ଆବେଦନ ଦାଖଲ କରିଛି। ଏବଂ ଏହା ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ବିଚାରାଧୀନ ଅବସ୍ଥାରେ ରହିଛି। ସେହିପରି, ଅନ୍ୟତମ ଦୋଷୀ ପଓ୍ଵନ ସୁପ୍ରିମ୍‌ କୋର୍ଟରେ ଆଉ ଏକ କ୍ୟୁରେଟିଭ୍‌ ପିଟିସନ୍‌ ଆଗତ କରିଛି। ତେଣୁ, ଏ ପରିସ୍ଥିତିରେ ଜାରି ମୃତ୍ୟୁ ପରଓ୍ଵାନା ଉପରେ ରହିତାଦେଶ ଜାରି କରାଯାଉ। ତେବେ, ରାଷ୍ଟ୍ରପତି ଅକ୍ଷୟର ରାଜକ୍ଷମା ଆବେଦନ ଗ୍ରହଣ କରି ନଥିବା ଓ ସୁପ୍ରିମ୍‌ କୋର୍ଟରେ ପଓ୍ଵନ ପକ୍ଷରୁ ଆଗତ କ୍ୟୁରେଟିଭ୍‌ ପିଟିସନ୍‌ ଆଜି ସକାଳେ ଖାରଜ୍‌ ହୋଇ ଯାଇଥିଲା।

News Nation

ଏହାପରେ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ମୁକେଶ ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଜାରି ହୋଇ ଥିବା ମୃତ୍ୟୁ ପରଓ୍ଵାନା ଉପରେ ରହିତାଦେଶ ଜାରି କରିବା ପାଇଁ ଆଗତ ମାମଲାର ବିଚାରକରି ପାତିଆଲା ହାଉସ୍‌ କୋର୍ଟର ଅତିରିକ୍ତ ଦୌରା ଜଜ୍‌ ଏବେ ଅପରାଧୀଙ୍କ ନିକଟରେ ଉପଲବ୍‌ଧ ଥିବା ସମସ୍ତ ଆଇନ୍‌ଗତ ସୁବିଧାକୁ ସେମାନେ ଉପଯୋଗ କରି ସାରିଛନ୍ତି ଏବଂ ସେମାନଙ୍କ ନିକଟରେ ଅନ୍ୟ ବିକଳ୍ପ ନାହିଁ ବୋଲି କହି ଆଗତ ମାମଲାକୁ ଖାରଜ କରି ଦେଇଥିଲେ।

News Nation

ଉଲ୍ଲେଖଯୋଗ୍ୟ, ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ପ୍ରତ୍ୟୁଷ ୫ଟା ୩୦ରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀର ପତିଆଲା ହାଉସ କୋର୍ଟ ପୂର୍ବରୁ ଯେଉଁ ‘ମୃତ୍ୟୁ ପରୱାନା’ (ଡେଥ୍‌ ୱାରେଣ୍ଟ) ଜାରି କରିଥିଲେ, ତାହା କାର୍ଯ୍ୟକାରୀ କରାଯିବା ନିଶ୍ଚିତ ହୋଇ ଯାଇଛି। ପତିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍‌ସ ଜଜ୍‌ ଧର୍ମେନ୍ଦ୍ର ରାଣା ୪ ନିର୍ଭୟା ଦୋଷୀ ମୁକେଶ କୁମାର ସିଂହ (୩୨), ପୱନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଏବଂ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ‘ମୃତ୍ୟୁ ପରୱାନା’ ଜାରି କରଥିଲେ।
ଉଲ୍ଲେଖଯୋଗ୍ୟ, ପ୍ରଥମେ ଜାନୁଆରି ୨୨ରେ ୪ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ‘ମୃତ୍ୟୁ ପରୱାନା’ ଜାରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଫେବ୍ରୁଆରି ୧କୁ ଫାଶୀ ତାରିଖ ଘୁଞ୍ଚିଥିଲା। ତେବେ କୋର୍ଟ ଜାନୁଆରି ୩୧ରେ ଶୁଣାଣି କରି ଫେବ୍ରୁଆରି ୧ ଫାଶୀ ତାରିଖ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ପୁଣି ଥରେ ଫାଶୀ ଉପରେ ରହିତାଦେଶ ଜାରି କରାଯାଇ ମାର୍ଚ୍ଚ ୩ ରେ ଏହି ୪ଜଣ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ସାନି ‘ମୃତ୍ୟୁ ପରୱାନା’ ଜାରି କରିଥିଲେ। ଏହା ଉପରେ ବି ଶେଷ ମୁହୂର୍ତରେ ରହିତାଦେଶ ଲାଗିଥିଲା। ପରେ ମାର୍ଚ୍ଚ ୫ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ମୁକେଶ ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ତୃତୀୟ ଥର ପାଇଁ ମୃତ୍ୟୁ ପରଓ୍ଵାନା ଜାରି ହୋଇଥିଲା।

News Nation

ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସରେ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନିର୍ଭୟାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁକେଶ , ପୱନ, ବିନୟ ଏବଂ ଅକ୍ଷୟ କୁମାର ସମେତ ରାମ ସିଂହ ଓ ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିଲେ। ୨୦୧୩ରେ ଏକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲା। ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାମିଲ ଥିବା ନାବାଳକ ଦୋଷୀକୁ ୩ ବର୍ଷ ସୁଧାର ଗୃହରେ ରଖାଯିବା ପରେ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର