ଇଣ୍ଡିଆନ୍‌ ଏକ୍ସପ୍ରେସ୍ ‘ପାୱାର ଲିଷ୍ଟ୍‌’ରେ ୪ ଓଡ଼ିଆ

ନୂଆଦିଲ୍ଲୀ : ଦୈନିକ ଇଂରାଜୀ ଖବରକାଗଜ ‘ଦି ଇ‌ଣ୍ଡିଆନ୍‌ ଏକ୍ସପ୍ରେସ୍‌’ ଦ୍ବାରା ପ୍ରକାଶିତ ଦେଶର ୧୦୦ରୁ ଅଧିକ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର। ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧୪ତମ ସ୍ଥାନରେ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ମିଶ୍ର ୧୯ ସ୍ଥାନରେ ରହିଛନ୍ତି। ସେହିଭଳି, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ ୨୯ତମ ସ୍ଥାନରେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩୯ତମ ସ୍ଥାନରେ ରହିଛନ୍ତି। ୨୦୧୮ ମସିହାରେ ପ୍ରକାଶିତ ତାଲିକାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩୦ତମ ସ୍ଥାନରେ ରହିଥିଲାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୩୨ତମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ, ତାଲିକାରେ ଅନ୍ୟ ଓଡ଼ିଆ ଭାବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ମିଶ୍ର ୪୪ତମ ସ୍ଥାନରୁ ଉଠି ୧୯ତମ ସ୍ଥାନରେ ରହିଥିବାବେଳେ ଆର୍‌ବିଆଇ ଗଭର୍ଣ୍ଣର ଶ୍ରୀ ଦାସ ୬୨ତମ ସ୍ଥାନରୁ ଉଠି ତାଲିକାର ୨୯ତମ ସ୍ଥାନରେ ରହିଛନ୍ତି। ଗତବର୍ଷ ଭଳି ଏଥର ମଧ୍ୟ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସ୍ଥାନରେ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ।

ସମ୍ବନ୍ଧିତ ଖବର