ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪ ଓଡ଼ିଆ

ନୂଆଦିଲ୍ଲୀ : ଜାତୀୟ ସ୍ତରରେ ଇଂରାଜୀ ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ୨୦୨୧ର ଦେଶରେ ୧୦୦ ଜଣ ପ୍ରଭାବ ବିସ୍ତାର କରିଥିବା ବ୍ୟକ୍ତିଙ୍କ ପ୍ରକାଶିତ ତାଲିକାରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ପ୍ରକାଶିତ ତାଲିକାରେ ଯେଉଁ ୪ ଜଣ ଓଡ଼ିଆ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି ସେମାନେ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ଆର୍‌ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଙ୍କିଙ୍ଗ୍‌ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ୨୦ତମ ସ୍ଥାନରେ, ଆର୍‌ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୯ ତମ ସ୍ଥାନରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ତମ ସ୍ଥାନରେ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୯୫ତମ ସ୍ଥାନରେ ରହିଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସ୍‌-୨୦୧୯ର ୧୦୦ ଜଣ ତାଲିକା ତୁଳନାରେ ଚଳିତ ବର୍ଷର ତାଲିକାରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବାଦ ଦେଲେ ଅନ୍ୟ ୩ ଜଣ ଓଡ଼ିଆମାନଙ୍କର ରାଙ୍କ ତଳକୁ ଖସିଆସିଛି। ୨୦୧୯ର ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ୧୯, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ତମ ସ୍ଥାନରେ ରହିଥିଲେ। ଅପରପକ୍ଷେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ରାଙ୍କ ୨୯ ରହିଥିଲା, ଯାହା ଏଥର ମଧ୍ୟ ବଜାୟ ରହିଛି।

ତାଲିକାରେ ୨୦ ତମ ସ୍ଥାନରେ ରହିଥିବା ୭୨ ବର୍ଷିୟ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ରୂପେ ଅବସ୍ଥାପିତ ରହିବା ସହିତ ପ୍ରଧାନମନ୍ତ୍ରୀଙ୍କର ନିକଟତମ ବ୍ୟକ୍ତି ଭାବେ ସବୁଠୁ ଅଧିକ କ୍ଷମତାଶାଳୀ ଅମଲାରେ ପରିଗଣିତ ହେଉଛନ୍ତି। ତାଲିକାରେ ୨୯ତମ ସ୍ଥାନରେ ଥିବା ୬୪ ବର୍ଷୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଶର ମୌଳିକ ନୀତି ପ୍ରସ୍ତୁତ କରିବା ତଥା କ୍ରିୟାନ୍ୱୟନ କରିବାରେ ଅଗ୍ରମୀ ଭୂମିକା ନିର୍ବାହ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ୭୪ ବର୍ଷିୟ ନବୀନ ପଟ୍ଟନାୟକ ତାଲିକାରେ ୪୫ ତମ ସ୍ଥାନରେ ରହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ମାର୍ଚ୍ଚ ୨୦୦୦ରୁ ଦାୟିତ୍ୱ ନେଇଥିଲେ। ରାଜ୍ୟର ସବୁଠୁ ଅଧିକ କାଳ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ହୋଇଯାଇଛନ୍ତି। ତାଙ୍କର ଯୋଜନା, ସମନ୍ୱିତ ତଥା ଫଳପ୍ରଦ ଶାସନ ତାଙ୍କ ଜନସମର୍ଥନକୁ ସୁଦୃଢ଼ କରିଛି। ଲକ୍‌ଡାଉନ୍ ସମୟରେ ରାଜ୍ୟକୁ ଫେରିଆସିଥିବା ୧୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକମାନଙ୍କର ନିରୀକ୍ଷଣ କରିବା, ଗ୍ରାମୀଣ ତଥା ସହରାଞ୍ଚଳ ଗରିବମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଯୋଜନା ଆରମ୍ଭ କରିବା ପାଇଁ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଥିବାର ଉଲ୍ଲେଖ କରାଯାଇଛି।

ଇଣ୍ଡିଆନ ଏକ୍ସପ୍ରେସ ତାଲିକାର ୯୫ ତମ ସ୍ଥାନରେ ରହିଛନ୍ତି ୫୧ ବର୍ଷିୟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ ବିଜେପି ପରିଚୟ ଭାବେ ପରିଗଣିତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କରର ଆତ୍ମନିର୍ଭର ଭାରତ ଉଦ୍ୟମର ମହତ୍ତ୍ୱପୂର୍ଣ୍ଣ ଅଂଶ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଭଳି ଶକ୍ତିଶାଳୀ ବିଭାଗର ଦାୟିତ୍ୱ ତୁଲାଉଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର କ୍ରିୟାନ୍ୱୟନରେ ସେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ବୋଲି କୁହାଯାଇଛି।

ଉଲ୍ଲେଖ ଯୋଗ୍ୟ, ଇଣ୍ଡିଆନ୍ ଏକ୍ସପ୍ରେସର ୧୦୦ ଜଣ କ୍ଷମତା ଶାଳୀ ଭାରତୀୟଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଥିବା ବେଳେ ଗାନ୍ଧି ପରିବାରରୁ କେହି ହେଲେ ତାଲିକାର ପ୍ରଥମ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇନାହାନ୍ତି।

ସମ୍ବନ୍ଧିତ ଖବର