ନୂଆଦିଲ୍ଲୀ: ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ସ୍ବର୍ଗତଃ ଜେନେରାଲ ବିପିନ ରାୱତ ଏବଂ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସ୍ବର୍ଗତଃ କଲ୍ୟାଣ ସିଂହଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି। ଏହାସହିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବ। ସାଧାରଣତନ୍ତ୍ର ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେ୍ଖନୀୟ ସେବା ପାଇଁ ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ଦେବାଲାଗି ଘୋଷଣା କରାଯାଇଛି। ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମିରକ ସମ୍ମାନ ପଦ୍ମବିଭୂଷଣ ଲାଗି ୪ ଜଣ ବ୍ୟକ୍ତିଙ୍କର ନାମ ଘୋଷଣା କରାଯାଇଥିବା ବେଳେ ୧୭ ଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବ। ସେହିଭଳି ୧୦୭ ଜଣଙ୍କୁ ପଦ୍ମଶ୍ରୀ ସହ ସମ୍ମାନିତ କରାଯିବ।
ପଦ୍ମବିଭୂଷଣ ଲାଗି ମ ନୋନୀତ ବ୍ୟକ୍ତିମାନେ ହେଲେ କଳା କ୍ଷେତ୍ର ଲାଗି ମହାରାଷ୍ଟ୍ରର ଡ. ପ୍ରଭା ଆଟ୍ରେ, ସାହିତ୍ୟ ଓ ଶିକ୍ଷା ପାଇଁ ଉତ୍ତର ପ୍ରଦେଶର ସ୍ବର୍ଗତଃ ରାଧେଶ୍ୟାମ ଖେମକା, ସ୍ବର୍ଗତଃ ଜେନେରାଲ ବିପିନ ରାୱତ ଏବଂ ସ୍ବର୍ଗତଃ କଲ୍ୟାଣ ସିଂହ। ସେହିଭଳି ୧୭ ଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ଅଛନ୍ତି ଗୁଲାମ ନବୀ ଆଜାଦ, ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ୍ ନେତା ବୁଦ୍ଧଦେବ ଭଟ୍ଟଚାର୍ଜୀ, ଭିକ୍ଟର ବାନାର୍ଜୀ, ନଟରାଜନ ଚନ୍ଦ୍ରଶେଖରନ, ପ୍ରତିଭା ରାୟ, ଭାରତ ବାୟୋଟେକ୍ର କ୍ରିଷ୍ଣା ଏବଂ ସୁଚିତା ଏଲ୍ଲା, ସେରମ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦେଶକ ସାଇରସ୍ ପୁନାୱାଲା, ମାଇକ୍ରୋସଫଟ୍ ସିଇଓ ସତ୍ୟ ନାଡେଲା ଏବଂ ଗୁଗୁଲର ସିଇଓ ସୁନ୍ଦର ପିଚାଇ। ଦେଶରେ କରୋନା ଟିକା ଉତ୍ପାଦନରେ ଭାରତ ବାୟୋଟେକ୍ ଏବଂ ସେରମ ଇନଷ୍ଟିଚ୍ୟୁଟ୍ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଯେଉଁ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରିବାକୁ ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ୟାମାମଣି ଦେବୀ, ଆଦିତ୍ୟ ପ୍ରସାଦ ଦାଶ, ବାବା ବଳିଆ, ପ୍ରମୋଦ ଭଗତ, ନରସିଂହ ପ୍ରସାଦ ଗୁରୁ, ନୀରଜ ଚୋପ୍ରା ଏବଂ ସୋନୁ ନିଗମ। ୩୪ ଜଣ ମହିଳା ପଦ୍ମ ପୁରସ୍କାର ପାଇଥିବା ବେଳେ ୧୩ ଜଣଙ୍କୁ ମରଣୋତ୍ତର ପ୍ରଦାନ କରାଯିବ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି।