ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ବହୁ ପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ଆଗାମୀ ୨୨ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିରେ ସନାତନ ଧର୍ମର ଚାରି ଶଙ୍କରାଚାର୍ଯ୍ୟ ସାମିଲ ହେବେନାହିଁ। ସେମାନଙ୍କ ମଧ୍ୟରୁ ୩ ଜଣ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲେ ମଧ୍ୟ ରୀତିନୀତି କାରଣରୁ ସାମିଲ ହେଉନଥିବା କହିଛନ୍ତି। ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେ ବିରୋଧ କରୁନାହୁଁ, କେବଳ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହେବା ପୂର୍ବରୁ ହେଉଥିବା ଏବଂ ସନାତନ ଧର୍ମର କେତେକ ରୀତିନୀତି ପାଳନ ହେଉନଥିବାରୁ ଏଥିରୁ ଦୂରେଇ ରହିବୁ ବୋଲି ସେମାନେ କହିଛନ୍ତି। କେବଳ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ ମହାରାଜ ସମାରୋହ ବିରୋଧରେ ଟିପ୍ପଣୀ ଦେଇଛନ୍ତି।

Advertisment

ସନାତନ ଧର୍ମର ଶୀର୍ଷ ଆଧ୍ୟାତ୍ମିକ ନେତାଙ୍କ ପ୍ରତିକ୍ରିୟାକୁ ନେଇ ବିରୋଧୀ ଦଳମାନେ ଏବେ ବିଜେପିକୁ ଘେରିଛନ୍ତି। ହିନ୍ଦୁ ଧର୍ମର ଶୀର୍ଷ ନେତାମାନେ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ତତ୍ପରତା ଦେଖାଇଛନ୍ତି ବୋଲି କଂଗ୍ରେସ କହିଛି। ଅନ୍ୟ ପକ୍ଷରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମାନନ୍ଦୀ ପରମ୍ପରା ଅନୁଯାୟୀ କେତେକ ବିଧି ପାଳନ ହେଉନାହିଁ ବୋଲି ନିର୍ମୋହୀ ଆଖଡ଼ା ପକ୍ଷରୁ କୁହାଯାଇଛି । ୫ ଶହ ବ‌ର୍ଷ ଧରି ରାମାନନ୍ଦୀ ପରମ୍ପରାରେ ଶ୍ରୀରାମଙ୍କ ପୂଜା ‌ହୋଇଆସୁଥିବା ବେଳେ ଏବେ ସେଥିରେ ବ୍ୟତିକ୍ରମ ଦେଖାଯାଇଛି ବୋଲି ମହନ୍ତ ଦୀନେନ୍ଦ୍ର ଦାସ କହିଛନ୍ତି।