ଏଲ୍‌ଓସିରେ ଗୁଳିବର୍ଷା : କ୍ୟାପ୍‌ଟେନ୍‌ଙ୍କ ସମେତ ୪ ସହିଦ

ଜମ୍ମୁ : ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା ଅଞ୍ଚଳର ପୁଞ୍ଚ ଓ ରାଜୌରି ସେକ୍ଟରରେ ପାକିସ୍ତାନ ସେନାର ଆଖିବୁଜା ଗୁଳିମାଡ଼ ଯୋଗୁଁ ଭାରତୀୟ ସେନାର ଜଣେ ଯୁବ କ୍ୟାପ୍‌ଟେନ କପିଲ କୁଣ୍ଡୁଙ୍କ ସମେତ ଚାରିି ଜଣ ସହିଦ ହୋଇଛନ୍ତି। ହରିଆନାର ଗୁଡ଼ଗାଓଁ ଜିଲ୍ଲା ଅନ୍ତର୍ଗତ ରଣସିକା ଗାଁର ସହିଦ କପଲ୍‌ଙ୍କୁ ଆସନ୍ତା ୧୦ ତାରିଖରେ ୨୩ ବର୍ଷ ପୂରିଥାନ୍ତା। ସହିଦ ହୋଇଥିବା ଅନ୍ୟ ଯବାନଙ୍କ ମଧ୍ୟରେ ଅଛନ୍ତି ରାଇଫଲମ୍ୟାନ ରାମ ଅବତାର, ଶୁଭମ୍‌ ସିଂହ ଏବଂ ହାବିଲଦାର ରୋଶନ ଲାଲ। ଦିନ ତମାମ ଚାଲିଥିବା ଗୁଳିବର୍ଷାରେ ଅନ୍ୟ ଜଣେ ଯବାନଙ୍କ ସମେତ ୫ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ଖବର ମିଳିଛି।

ପୁଞ୍ଚ ଏବଂ ରାଜୌରି ଜିଲ୍ଲା ସୀମାରେ ଆଜି ପୂର୍ବାହ୍ନ ୧୧ଟାରୁ ପାକ୍‌ ସେନା ଗୁଳିଗୋଳା ବର୍ଷା ଆରମ୍ଭ କରିଥିଲା। ରାଜୌରିର ଭିମ୍ବେର ଗାଲି ସେକ୍ଟରରେ ଭାରତୀୟ ସେନାର ଆଗୁଆ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ପାକ୍‌ ସେନା ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିବାରୁ ଏଥିରେ ୩ ଜଣ ଯବାନ ଘଟଣାସ୍ଥଳରେ ହିଁ ସହିଦ ହୋଇଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସେଭିଭଳି ଆଜି ସକାଳେ ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସ କରିଥିବା ମୋର୍ଟାର ମାଡ଼ରେ ଆଉ ୨ ଜଣ ଯବାନ ଏବଂ ୩ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୧୫ ବର୍ଷର ନାବାଳିକା ଓ ଅନ୍ୟ ଜଣେ ୬ ବର୍ଷର ବାଳକ ମଧ୍ୟ ରହିଥିବା ଜଣାପଡ଼ିଛି। ଆଜି ପୁଞ୍ଚର ଶାହପୁର ସେକ୍ଟରରେ ୪ଟି ଗ୍ରାମକୁ ନିଶାଣ କରି ପାକିସ୍ତାନ ପ୍ରବଳ ମୋର୍ଟାର ମାଡ଼ କରିଥିଲା। ତେବେ ଗ୍ରାମବାସୀ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଅପରପକ୍ଷେ, ଭାରତୀୟ ସେନା ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଥିବା ଖବର ମିଳିଛି।

ଉଲ୍ଲେଖ ଥାଉ କି, ବର୍ଷ ଆରମ୍ଭରୁ ଏଯାବତ୍‌ ପାକିସ୍ତାନୀ ସେନା ୧୪୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଥିବା ବେଳେ ଦୁଇ ଦିନରେ ଏହା ଚତୁର୍ତ ଉଲ୍ଳଂଘନ ବୋଲି ସେନା ପକ୍ଷରୁ କୁହାଯାଇଛି। ଚଳିତବର୍ଷ ଆଜି ସୁଦ୍ଧା ପାକ୍‌ ଗୁଳିମାଡ଼ରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୧୦ ଜଣ ଯବାନ୍‌ ରହିଥିବା ବେଳେ ଅନ୍ୟମାନେ ସ୍ଥାନୀୟ ବାସିନ୍ଦା। ଏହି ସମୟ ମଧ୍ୟରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ୯୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସୀମାରେ ସ୍ଥିତି ଆଶାନ୍ତ ଥିବାରୁ ନିୟନ୍ତ୍ରଣ ସୀମାରେଖା ନିକଟବର୍ତ୍ତୀ ଗ୍ରାମଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବା ବେଳେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୩ଶହ ସ୍କୁଲକୁ ବନ୍ଦ କରାଯାଇଛି। ଦୁଇଦିନ ତଳେ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବାରୁ ସେମାନେ ସୀମାରେ ପରିସ୍ଥିତି ଅଶାନ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର