ବନ୍ୟା ସ୍ଥିତି ଗମ୍ଭୀର, ୪ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୪୦ ଟପିଲାଣି

ଥିରୁବନନ୍ତପୁରମ୍‌: କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ବନ୍ୟା ଯୋଗୁଁ କେରଳରେ ମୃତ୍ୟୁସଂଖ୍ୟା ୯୦ ଅତିକ୍ରମ କରିଥିବା ବେଳେ ୪ ରାଜ୍ୟରେ ୨୪୨ ଜଣଙ୍କ ମୃତ୍ୟୁ ଘଟିଲାଣି। କେରଳର ୩ ଜିଲ୍ଲାରେ ଏବେ ବି ରେଡ୍‌ ଆଲର୍ଟ ଜାରି ହୋଇଛି। ଆଲାପୁଝା, ଏର୍ନାକୁଲମ୍‌ ଏବଂ ଇଡୁକ୍କିରେ ଆଜି ରେଡ୍‌ ଆଲର୍ଟ ଜାରି ହୋଇଥିବା ‌ବେଳେ ଉତ୍ତର ଜିଲ୍ଲା ମଲପ୍ପୁରମ ଏବ କୋଝିକୋଡ୍‌ରେ ପୂର୍ବରୁ ରେଡ୍‌ ଆଲର୍ଟ ଜାରି ହୋଇଛି। ପ୍ରାୟ ୬୦ ଜଣ ନିଖୋଜ ଅଛନ୍ତି। କର୍ଣ୍ଣାଟକରେ ମୃତ୍ୟୁସଂଖ୍ୟା ୪୮ ଟପିଥିବା ବେଳେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଆଜି ବନ୍ୟାପ୍ରବଣ ଶିବମୋଗା ଜିଲ୍ଲାରେ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟ ପାଇଁ ତୁରନ୍ତ ୧୦,୦୦୦ କୋଟି ଟଙ୍କାର ବନ୍ୟା ସହାୟତା ଦେବାପାଇଁ ୟେଦୁରପ୍ପା କେନ୍ଦ୍ର ସରକାରଙ୍କୁ ଅନୁ‌ରୋଧ କରିଛନ୍ତି। କର୍ଣ୍ଣାଟକ ସ୍ଥିତି ଖୁବ୍‌ ଜଟିଳ ରହିଥିବା ସେ କହିଛନ୍ତି। ବନ୍ୟା ଯୋଗୁଁ ରାଜ୍ୟରେ ୨୦୦୦ରୁ ଅଧିକ ଗ୍ରାମ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ରାଜ୍ୟରେ ଏବେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୪୩ ଛୁଇଁଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ବନ୍ୟା ପ୍ରବଣ ଲୋକମାନଙ୍କ ପାଇଁ ୬୮୧୩ କୋଟି ଟଙ୍କାର ସହାୟତା ଘୋଷଣା‌ କରିଛନ୍ତି। ସାଙ୍ଗ୍‌ଲିରେ ଏନ୍‌ଡିଆରଏଫ୍‌ ଦ୍ବାରା ରିଲିଫ୍‌ ଶିବିର ପ୍ରତିଷ୍ଠା ହୋଇଛି।

ଉତ୍ତରାଖଣ୍ଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ଭୟଙ୍କର ହୋଇଯାଇଛି। ଗତକାଲି ଭୂସ୍ଖଳନ ହୋଇ ଏକ ଘର ଭୁଶୁଡ଼ି ପଡ଼ିବାଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ହିମାଚଳରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହି ଅଣାୟତ ସ୍ଥିତି ସୃଷ୍ଟି କରିଛି। ଗୁଜରାଟରେ ବି ସ୍ଥିତି ସାଂଘାତିକ ରହିଛି।

ସମ୍ବନ୍ଧିତ ଖବର