ଲକଡାଉନ ଅବଧି ବଢାଇବାକୁ ମହାରାଷ୍ଟ୍ର,ପଞ୍ଜାବ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ଦାବି

ନୂଆଦିଲ୍ଲୀ : ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ବେଳେ ୪ଟି ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ପଞ୍ଜାବ ଲକଡାଉନ ଅବଧି ବଢାଇବାକୁ ଦାବି କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ ବିନା ଲକଡାଉନରେ ଆଗକୁ ବଢିବା ଅସମ୍ଭବ ହୋଇପଡ଼ିଛି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ ଦାବି କରିଥିଲେ ।

ତେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଲକଡାଉନ ଅବଧି ବଢାଇବା ପ୍ରସ୍ତାବକୁ ବିରୋଧ କରିଥିଲେ । ତେବେ ଆଉ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଟ୍ରେନ ନ ଚଳାଇବାକୁ ଦାବି କରିଥିଲେ । ଟ୍ରେନ ଚଳାଇବା ଦ୍ୱାରା ସଂକ୍ରମଣ ମାତ୍ରା ଆହୁରି ବଢିବ ବୋଲି ସେମାନେ କହିଥିଲେ ।
ଦେଶରେ କରୋନା ସଂକ୍ରମଣ ଦେଖାଯିବା ପରଠାରୁ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ୫ମ ବୈଠକ । ଆଜିର ବୈଠକରେ ଦେଶରେ ଚାଲିଥିବା ଲକଡାଉନ ସଂପର୍କରେ ଆଲୋଚନା ହୋଇଛି । ଏହି ବୈଠକ ପରେ ହିଁ କେନ୍ଦ୍ର ସରକାର ଆସନ୍ତା ୧୭ ତାରିଖ ପରେ ଲକଡାଉନ ବଢିବ କିମ୍ବା ପ୍ରତ୍ୟାହାର ହେବ ସେ ସଂପର୍କରେ ନିଷ୍ପତ୍ତି ନେବେ । ଏହି ବୈଠକ ଏପର୍ଯ୍ୟନ୍ତ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୪ ତାରିଖରେ ସାରା ଦେଶରେ ଲକଡାଉନ ସଂପର୍କରେ ଘୋଷଣା କରିଥିଲେ । ପ୍ରଥମ ଦଫା ଲକଡାଉନ ୨୧ଦିନ ପାଇଁ ଘୋଷିତ ହୋଇଥିଲା ଓ ଏହା ଏପ୍ରିଲ ୧୪ରେ ସମାପ୍ତ ହୋଇହେବାର ଥିଲା । ତେବେ ଏହାକୁ ମେ ୪ ଓ ତାପରେ ମେ ୧୭ ପର୍ଯ୍ୟନ୍ତ ବଢାଇଦିଆଯାଇଥିଲା । ତେବେ ୨ୟ ଦଫା ଲଡକାଉନ ପରଠାରୁ ସରକାର ପର୍ଯ୍ୟାୟକ୍ରମେ କେତେକ କ୍ଷେତ୍ରକୁ ଧୀରେ ଧୀରେ ଖୋଲିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର