ନାଇଡ଼ୁଙ୍କୁ ଝଟ୍‌କା, ୪ ଟିଡିପି ସାଂସଦ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି ରାଜ୍ୟସଭାରେ ଏବେ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ଏହାର ୬ ଜଣ ସାଂସଦଙ୍କ ମଧ୍ୟରୁ ୪ ଜଣ ସାଂସଦ ଆଜି ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ସେମାନେ ଆଜି ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଦଳର କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି। ଏହି ୪ ଜଣ ସାଂସଦ ହେଲେ ୱାଇଏସ୍‌ ଚୌଦାରୀ, ଟିଜି ଭେଙ୍କଟେଶ, ସିଏମ୍‌ ରମେଶ ଏବଂ ଜିଏମ୍‌ ରାଓ। ସାଂସଦମାନେ ବିଜେପିରେ ଯୋଗଦେବା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁଙ୍କୁ ଭେଟି ସେମାନଙ୍କ ପ୍ରସ୍ତାବ ପତ୍ର ପ୍ରଦାନ କରିଥିଲେ ଏବଂ ବିଜେପି ସଂସଦୀୟ ଦଳରେ ସାମିଲ ହେବାକୁ ଚାହୁଥିବା ଜଣାଇଥିଲେ। ଏହା ଗ୍ରହଣ ହେବାପରେ ସେମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିଲେ। ଦଳୀୟ ସାଂସଦଙ୍କ ବିଦ୍ରୋହ ନେଇ ଆଜି ନାଇଡ଼ୁ କହିଛନ୍ତି ଯେ ବିଜେପି ଏବେ ଟିଟିପିକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟ ଦାବି ନେଇ ଆମେ କେନ୍ଦ୍ର ସରକାର ସହିତ ଲଢ଼େଇ କରି ଆସିଛୁ ଏବଂ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି। ଦଳୀୟ ଅସନ୍ତୋଷ ଏବଂ ନେତା ଦଳ ଛାଡ଼ିବା ଘଟଣା ଆମ ପାଇଁ ନୂଆ ନୁହେଁ ବୋଲି ନାଇଡ଼ୁ କହିଛନ୍ତି।

ତେବେ ଟିଡିପି ରାଜ୍ୟସଭା ସାଂସଦମାନେ ଦଳ ବିରୋଧରେ ଏଭଳି ବିଦ୍ରୋହ ଘୋଷଣା କରି ଇସ୍ତଫା ଦେବା ଘଟଣା ଆନ୍ଧ୍ର ରାଜନୀତିକୁ ସରଗରମ କରିଛି। ରାଜ୍ୟସଭାରେ ଟିଡିପିର ମୋଟ ୬ ଜଣ ସଦସ୍ୟ ଥିଲେ ଏବଂ ଆଜି ୪ ଜଣ ସାଂସଦ ବିଜେପିରେ ସାମିଲ ହେବା ଘଟଣା ଟିଡିଡିକୁ ଦୋହଲାଇ ଦେଇଛି। ଏହା ଟିଡିପି ପାଇଁ ଆଗକୁ ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି କୁହାଯାଉଛି । ନିକଟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଟିଡିପିକୁ ବଡ଼ ଧରଣର ବିପର୍ଯ୍ୟୟ ସାମ୍ନା କରିବାକୁ ପଡ଼ିଥିଲା ଏବଂ ଦଳ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥିଲା। ରାଜ୍ୟର ମୋଟ ୨୫ଟି ଲୋକସଭା ଆସନରୁ ମାତ୍ର ୩ଟି ହାସଲ କରିବାକୁ ଟିଡିପି ସକ୍ଷମ ହୋଇଥିବା ବେଳେ ଏବେ ରାଜ୍ୟସଭାରେ ମଧ୍ୟ ଦଳର ସ୍ଥିତି ଅତ୍ୟନ୍ତ ନଗଣ୍ୟ ହୋଇଯାଇଛି।

ସମ୍ବନ୍ଧିତ ଖବର