ରାଜ୍ୟ ଖାଉଟି କମିଶନରେ ୪ ସଦସ୍ୟ ପଦ ଖାଲି

ଜିଲ୍ଲା ଖାଉଟି କମିଶନରେ ୨୫ ସଭାପତି ଓ ୨୩ ସଦସ୍ୟ ପଦ ବି ଖାଲି
ଦୁଇ ମାସ ଭିତରେ ବିଜ୍ଞାପନ ପ୍ରକାଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ରାଜ୍ୟ ଖାଉଟି କମିଶନରେ ୪ଟି ସଦସ୍ୟ ପଦ ଖାଲିପଡ଼ିଛି। କେବଳ ରାଜ୍ୟ ଖାଉଟି କମିଶନରେ ନୁହେଁ, ଜିଲ୍ଲା ଖାଉଟି କମିଶନଗୁଡିକରେ ମଧ୍ୟ ୨୫ଟି ସଭାପତି ଓ ୨୩ ଟି ସଦସ୍ୟ ପଦ ଖାଲି ରହିଛି। ଏଥିସହିତ, ଜିଲ୍ଲା ଖାଉଟି କମିଶନଗୁଡିକରେ ଆଗାମୀ ଛଅ ମାସରେ ୧୯ଟି ସଦସ୍ୟ ପଦ ଖାଲି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ମଧ୍ୟରେ ଖାଲିଥିବା ପଦ ପୂରଣ ନିମନ୍ତେ ବିଜ୍ଞାପନ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ତଥା ଜିଲ୍ଲା ଖାଉଟି କମିଶନମାନଙ୍କରେ ଖାଲି ପଡ଼ିଥିବା ପଦର ସଂଖ୍ୟା ସଂପର୍କରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରିଙ୍କ ଦ୍ବାରା ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ସମ୍ପର୍କରେ ବିବରଣୀ ରହିଛି। ଆମିକସ କ୍ୟୁରିଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାଲି ପଡ଼ିଥିବା ୮୦୦ ପଦକୁ ଆଗାମୀ ୮ ସପ୍ତାହ ଅର୍ଥାତ୍‌ ଦୁଇ ମାସ ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଖାଉଟି କମିଶନରେ ଖାଲିପଡ଼ିଥିବା ପଦର ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଏପ୍ରିଲ୍‌ ୯ ଓ ଅଗଷ୍ଟ ୪ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ରିପୋର୍ଟରେ ରାଜ୍ୟ ଖାଉଟି କମିଶନରେ ୪ ସଦସ୍ୟ ପଦ ଖାଲିଥିବା ଦର୍ଶାଯାଇଥିଲା। ଏଥିସହିତ, ରାଜ୍ୟର ୩୧ଟି ଜିଲ୍ଲା ଖାଉଟି କମିଶନରେ ୨୫ଟି ସଭାପତି ଖାଲି ରହିଥିବା ତଥା ଆଗାମୀ ଛଅ ମାସରେ ସାମ୍ଭାବ୍ୟ ଗୋଟିଏ ସଭାପତି ପଦ ଖାଲି ହେବାର ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର