ନୂଆଦିଲ୍ଲୀ : ଭାରତୀୟ ସୀମା ନିକଟରେ ଆଉ କେତୋଟି ଗ୍ରାମ ନିର୍ମାଣ କରିଛି ଚୀନ । ଏସବୁ ଗ୍ରାମ ଗୁଡ଼ିକ ଡୋକଲାମ ନିକଟସ୍ଥ ଭୁଟାନ ଅଞ୍ଚଳରେ ରହିଛି । ଏହାକୁ ନେଇ ଭାରତରେ ଚିନ୍ତା ପ୍ରକାଶ ପାଇଛି ।

Advertisment

ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି ଯେ ଚୀନ ଡୋକଲାମ ନିକଟରେ ୪ଟି ଗ୍ରାମ ନିର୍ମାଣ କରିଛି । ଏସବୁ ଗ୍ରାମଗୁଡ଼ିକ ପ୍ରାୟ ୧୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ନିର୍ମାଣ କରାଯାଇଛି । ଏଗୁଡ଼ିକ ମେ ୨୦୦୦ ଓ ନଭେମ୍ବର ୨୦୨୧ ମଧ୍ୟରେ ସ୍ଥାପନ କରାଯାଇଛି ବୋଲି ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି ।

ଗତ ବର୍ଷ ଲଦାଖ ଓ ସିକ୍କିମ ସେକ୍ଟରରେ ଭାରତ ଓ ଚୀନସେନା ମୁହାଁମୁହିଁ ହେବା ସମୟରେ ହିଁ ଚୀନ ପକ୍ଷରୁ ଏସବୁ ଗ୍ରାମର ନିର୍ମାଣ ଚାଲିଥିବା ଅନୁମାନ କରାଯାଉଛି ।

ଭାରତ ପାଇଁ ଚିନ୍ତାର ବିଷୟ ହେଉଛି ଯେ ଏହି ଗ୍ରାମଗୁଡ଼ିକ ‘ଚିକେନ ନେକ’ ବା ‘କୁକୁଡ଼ା ବେକ’  ଭାବେ ପରିଚିତ ଭାରତର ସିଲିଗୁଡ଼ି କରିଡର ନିକଟରେ ଅବସ୍ଥିତ । ଯୁଦ୍ଧ ସମୟରେ ଏହି ଚିକେନ ନେକକୁ ଅଧିକାର କରିପାରିଲେ ଚୀନ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରିପାରିବ । ଏହି କାରଣରୁ ୨୦୧୬ରେ ଡୋକଲାମଠାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । କିନ୍ତୁ ନିକଟରେ ଭୁଟାନ ସହ ଦ୍ବିପାକ୍ଷିକ ଚୁକ୍ତି କରି ଚୀନ ଏହି ଅଞ୍ଚଳ ଉପରେ ନିଜର ପ୍ରଭୃତ୍ବ ଜାହିର କରିବାକୁ ସକ୍ଷମ ହୋଇଛି ।