ସାବରିମାଲା ପ୍ରସଂଗ: ମନ୍ଦିରରେ ପ୍ରବେଶ ନେଇ ମହିଳାଙ୍କ ସକାଶେ ୨ ଦିନ ଦାବି କରି କେରଳ ହାଇକୋର୍ଟ ଗଲେ ୪ ମହିଳା

ତିରୁବନନ୍ତପୁରମ: କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଉପୁଜିଥିବା ଉତ୍ତେଜନା ଥମିବାର ନାଁ ଧରୁନି। ଏପଟେ ସୁପ୍ରିମ୍‌କୋର୍ଟ ସବୁ ବୟସର ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ ପାଇଁ  ନିର୍ଦ୍ଦେଶ ଦେବା ବେଳେ ଆୟାପ୍ପା ଭକ୍ତ ୧୦ରୁ ୫୦ ବର୍ଷ ବୟସ ଭିତରେ ମହିଳାମାନଙ୍କୁ ମନ୍ଦିର ଭିତରେ ପ୍ରବେଶ ବାବଦରେ ନିଜର ବିରୋଧ ଜାରି ରଖିଛନ୍ତି।

ଏ ପରିସ୍ଥିତିରେ ମନ୍ଦିର ଭିତରେ ପ୍ରବେଶ ଇଚ୍ଛା ରଖିଥିବା ୪ ଜଣ ମହିଳା କେରଳ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ।ବିକ୍ଷୋଭକାରୀମାନେ ମହିଳାଙ୍କୁ ମନ୍ଦିର ଭିତରକୁ ନଛାଡ଼ିବା ବନ୍ଦ କରନ୍ତୁ ବୋଲି ଉକ୍ତ ୪ ମହିଳା ଦାବି କରିବା ସହ ପୂଜାକାଳୀନ ସମୟରେ ୨ ଦିନ ପାଇଁ ମହିଳାମାନଙ୍କୁ ସ୍ୱତନ୍ତ୍ର ଭାବେ ମନ୍ଦିର ଭିତରେ ପ୍ରବେଶ ଅନୁମତି ଦିଆଯାଉ ବୋଲି ନିଜ ଯାଚିକାରେ ଦର୍ଶାଇଛନ୍ତି । ଏହା ସହ ମହିଳାମାନଙ୍କ ସୁରକ୍ଷା ସକାଶେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ପାଇଁ ମଧ୍ୟ ସେମାନେ କହିଛନ୍ତି।

ଉଲ୍ଳେଖଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଥିଲେ କି ‘ଆମେ ସାବରିମାଲା ମନ୍ଦିରର ମହିଳାମାନଙ୍କ ପ୍ରବେଶ ପ୍ରସଂଗରେ ଆଲୋଚନା କରୁଛୁ। ମହିଳାମାନଙ୍କ ସକାଶେ ସ୍ୱତନ୍ତ୍ର ପ୍ରବେଶ ବନ୍ଦୋବସ୍ତ ପାଇଁ ଚିନ୍ତା କରୁଛୁ।’ ମୁଖ୍ୟମନ୍ତ୍ରୀ ଏପରି କହିବା ପରେ ହିଁ ଏଭଳି ଏକ ଚିନ୍ତାଧାରା ସୃଷ୍ଟି ହୋଇଛି। ଆୟାପ୍ପାଙ୍କ ଏହି ମନ୍ଦିର ନଭେମ୍ବର ୧୬ ତାରିଖରେ ଖୋଲା ହୋଇଛି। ଏବେ ୨ ମାସ ଧରି ଖୋଲା ରହିବ।

ଏପରିକି ବିକ୍ଷୋଭକାରୀମାନେ ନିଜ ଜିଦ୍‌ରେ ଅଟଳ ରହିବା ହେତୁ ସାବରିମାଲା ମନ୍ଦିର ପ୍ରସଂଗ ନେଇ ସମୀକ୍ଷା ଯାଚିକା ଦାୟର ହେବା ପରେ ଏହାର ଶୁଣାଣି ଜାନୁଆରି ୨୨ ତାରିଖରେ ହେବ ବୋଲି ସୁପ୍ରିମ୍‌କୋର୍ଟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର