ଆସାମରେ ୪ବର୍ଷର ଶିଶୁ କନ୍ୟାକୁ ବଳି

ଆସାମ: ଆସାମର ଚରାଇଦେବ ଜିଲ୍ଲାର ସୋନାରି ଗ୍ରାମରେ ଜଣେ ପିତା ସ୍ଥାନୀୟ ତାନ୍ତ୍ରିକ ସହ ମିଶି ନିଜର ୪ ବର୍ଷର ଝିଅକୁ ବଳି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେମାନେ ଶିଶୁକନ୍ୟାକୁ ଗଳାଚିପି ହତ୍ୟା କରିବା ସହ ମୃତଦେହକୁ ସିଙ୍ଗଲୋ ନଦୀରେ ଫିଙ୍ଗି ଦେଇଥିଲେ। ବଗୋଧର(୫୦) ନାମକ ତାନ୍ତ୍ରିକ ଏବଂ ପୀଡିତାଙ୍କ ପିତା ଅନ୍ତା ମୁଣ୍ଡା (୫୪) ସେହି ଅଞ୍ଚଳର ଏକ ଚାହା ବଗିଚାରେ କାମ କରନ୍ତି। କୌଣସି ଅଜଣା ରୋଗରୁ ମୁକ୍ତି ପାଇବା ପାଇଁ ଶିଶୁକନ୍ୟାର ପିତା ତାନ୍ତ୍ରିକ ସହ ଆଲୋଚନା କରିବା ପରେ ଝିଅକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଚରାଇଦେବ ଜିଲ୍ଲା ଏସ୍‌ପି ସୁଧାକର ସିଂହ କହିଛନ୍ତି।

ପୁଲିସ କହିଛି ଯେ ଗତ ସୋମବାର ଏହି ଘଟଣା ବିଷୟରେ ପ୍ରଥମେ ମୃତ ଶିଶୁର ଭଉଣୀ ସୂଚନା ଦେଇଥିଲେ। ଶିଶୁ ଜଣକ ଜେଜେମା’ଙ୍କ ସହ ଶୋଇଥିବା ସମୟରେ ତାଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଅପହରଣ କରିନେଇଥିଲେ। ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ଏବଂ ଗତ ମଙ୍ଗଳବାର ଦିନ ନିକଟସ୍ଥ ନଦୀରେ ଶିଶୁକନ୍ୟାର ମୃତଦେହ ମିଳିଥିଲା। ପୁଲିସ ଟିମ୍ ଶିଶୁର ପୋଷାକ ଏବଂ ନଦୀ କୂଳରୁ ତନ୍ତ୍ରମନ୍ତ୍ରର ସହିତ ଜଡିତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ମିଳିଥିଲା ପରେ ତଦନ୍ତରୁ ସବୁକଥା ଜଣାପଡ଼ିଥିଲା। ହତ୍ୟାକାରୀ ପିତା ଏବଂ ତାନ୍ତ୍ରିକ ସେମାନଙ୍କ ଅପରାଧ ସ୍ବୀକାର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର