ହାଇଦ୍ରାବାଦ୍: ହାଇଦ୍ରାବାଦରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ହାଉସିଂ ସୋସାଇଟ୍ରେ ଜଣେ ୪ ବର୍ଷର ବାଳକର କୁକୁର ଆକ୍ରମଣରେ ମୃତ୍ୟୁ ଘଟିଛି। କିପରି ଦଳେ କୁକୁର ମିଶି କୁନି ବାଳକଟିକୁ ଆକ୍ରମଣ କରିବା ପରେ ବାଳକର ମୃତ୍ୟୁ ଘଟିଛି ସେ ସମସ୍ତ ଘଟଣା ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ ବାଳକଟି ମୁକୁଳିକି ଯିବା ପାଇଁ ଅନେକ ଚେଷ୍ଟା କରିବା ପରେ ବି ମୁକୁଳି ଯାଇ ପାରିନାହିଁ।
ସୂଚନାରୁ ଜାଣିବାକୁ ମିଳିଛି ଯେ ମୃତ ବାଳକର ବାପା ଗଙ୍ଗାଧର ଉକ୍ତ ହାଉସିଂ ସୋସାଇଟିରେ ସୁକ୍ୟରିଟି ଗାର୍ଡ ଭାବେ କାମ କରନ୍ତି। ଘଟଣା ଘଟିବା ବେଳେ ବାଳକଟିର କାନ୍ଦ ସ୍ବର ଶୁଣି ତା’ ବାପା ଦୌଡ଼ି ଆସିଥିଲେ ଓ ତୁରନ୍ତ ତାକୁ ନେଇ ହସ୍ପିଟାଲ୍ ଯାଇଥିଲେ। ସେଠାରେ ଡାକ୍ତର ବାଳକଟିର ଚିକିତ୍ସା କରି ତାକୁ ମୃତ ଘୋଷଣା କରିିଥିଲେ।
ଗଙ୍ଗାଧର ପରିବାର ପେଟ ପୋଷିବା ପାଇଁ ନିଜାମାବାଦରୁ ହାଇଦ୍ରାବାଦକୁ ଆସିଥିଲେ। ରବିବାର ଗଙ୍ଗାଧର ଆପାର୍ଟମେଣ୍ଟ୍ ଗେଟ୍ରେ ଜଗିଥିବା ବେଳେ ତାଙ୍କ ପୁଅ ସେଠାରେ ଖେଳୁଥିଲା। ହେଲେ ଅଚାନକ ଶିଶୁଟିକୁ କିଛି କୁକୁର ଘେରି ଯାଇଥିଲେ ଓ କୁକୁରମାନେ ମିଶି ଶିଶୁଟିକୁ ଆକ୍ରମଣ କରିଥିଲେ।
ଡାକ୍ତରଙ୍କ କହିବା ମୁତାବକ, ଶିଶୁଟିକୁ ହସ୍ପିଟାଲ୍ ଆଣିବା ବେଳରୁ ହିଁ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା। ସ୍ଥାନୀୟ ପୁଲିସ୍ ଷ୍ଟେସନ୍ରେ ଏକ ମାମଲା ରୁଜୁ ହୋଇ ଏନେଇ ତଦନ୍ତ ଆରମ୍ଭ ହୋଇଛି।