ନୂଆଦିଲ୍ଲୀ: ତାଇୱାନର ଏଭରଗ୍ରିନ୍ ମେରାଇନ୍ କର୍ପୋରେସନ୍ ଚଳିତ ବର୍ଷ ନିଜର କର୍ମଚାରୀଙ୍କୁ ଷ୍ଟାର ବୋନସ୍ ପ୍ରଦାନ କରି ଏକ ନିଆରା ବର୍ଷ ଭାବେ ପାଳନ କରୁଛି। ତାଇପେସ୍ଥିତ ଏହି ସିପିଂ କମ୍ପାନି ହାରାହାରି ୫୦ ମାସର ଦରମା କିମ୍ବା ଚାରି ବର୍ଷରୁ ଅଧିକ ଦରମା ସହିତ ସମାନ ରାଶି ନିଜର କର୍ମଚାରୀଙ୍କୁ ବୋନସ୍ ଆକାରରେ ପ୍ରଦାନ କରୁଛି। କମ୍ପାନିର ଏହି ପଦକ୍ଷେପକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି।
କର୍ମଚାରୀମାନଙ୍କ ପାଇଁ ବର୍ଷ ଶେଷ ବୋନସ୍ ସର୍ବଦା ସେଇ ବର୍ଷ ପାଇଁ କମ୍ପାନିର କାର୍ଯ୍ୟଦକ୍ଷତା ଏବଂ କର୍ମଚାରୀଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଆଧାରିତ ହେଇଥାଏ। ଏଭରଗ୍ରୀନ୍ ମେରାଇନ୍ ଶୁକ୍ରବାର ଏକ ବିବୃତିରେ କହିଛି ଯେ ଗତ ଦୁଇ ବର୍ଷ ମଧ୍ୟରେ କମ୍ପାନିର ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ୨୦୨୨ରେ କମ୍ପାନିର ରାଜସ୍ୱ ରେକର୍ଡ ୨୦.୭ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହାକି ୨୦୨୦ ତୁଳନାରେ ତିନିଗୁଣା ଅଧିକ। କମ୍ପାନିର ରେକର୍ଡ ରାଜସ୍ୱ ବୃଦ୍ଧିରେ କର୍ମଚାରୀଙ୍କ ଅବଦାନ ସର୍ବାଗ୍ରେ ରହିଥିବାରୁ କର୍ମଚାରୀମାନଙ୍କୁ ଖୁସି କରାଇବା ପାଇଁ କମ୍ପାନି ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।