ସର୍ବୋଚ୍ଚ ଅଦାଲତରେ ଅଯୋଧ୍ୟା ବିବାଦ ଶୁଣାଣିର ଘଟଣାକ୍ରମ

ଅଗଷ୍ଟ ୬, ୨୦୧୯: ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କଲେ। ନିର୍ମୋହି ଆଖଡ଼ା ଯୁକ୍ତି ଦର୍ଶାଇଥିଲା ରାମ ଜନ୍ମଭୂମି ହେଉଛି ସାଧାରଣ ଲୋକ ବ୍ୟବହାର କରିବା ଭଳି ଏକ ଧାର୍ମିକ ପ୍ରତିଷ୍ଠାନ। ଏହି ସ୍ଥାନର ପରିଚାଳନା ନିର୍ମୋହି ଆଖଡ଼ା କରିଆସୁଛି ଏବଂ ଭକ୍ତମାନଙ୍କଠାରୁ ଭକ୍ତି ଅର୍ଘ୍ୟ ଗ୍ରହଣ କରି ଆସୁଛି। ଜନ୍ମଭୂମି ଆସ୍ଥାନ ହେଉଛି ଏକ ପୁରାତନ କଳାକୃତି।

ଅଗଷ୍ଟ ୭,୨୦୧୯: ଯୀଶୁଖ୍ରୀଷ୍ଟ ବେଥଲେହାମ୍‌ରେ ଜନ୍ମ ହୋଇଥିଲେ କି? ଏଭଳି ପ୍ରଶ୍ନ ପୂର୍ବରୁ କୌଣସି ଅଦାଲତରେ ଉପସ୍ଥାପିତ ହୋଇଛି କି ବୋଲି ବିଚାରପତି ଏସ. ଏ. ବୋବଡ଼େ ରାମ ଲାଲା ପକ୍ଷର ଆଇନଜୀବୀ କେ ପରାସନରଙ୍କୁ ପଚାରିଥିଲେ। ପରାସରନ କହିଥିଲେ ବିବାଦୀୟ ଜମି ସମ୍ପର୍କରେ ବାଲ୍ମିକୀ ରାୟାମଣରେ ଉଲ୍ଲେଖ ରହିଛି। ଏହା ସତ୍ତ୍ବେ ଏହି ମାମଲାରେ ପ୍ରମାଣକୁ କୋହଳ କରାଯିବା ଆବଶ୍ୟକ। କାରଣ ଶ୍ରଦ୍ଧାଳୁମାନେ ବିଶ୍ବାସ କରୁଛନ୍ତି ଯେ, ଶ୍ରୀରାମଙ୍କ ଆତ୍ମା ଏହି ଆସ୍ଥାନରେ ରହିଛି।

ଅଗଷ୍ଟ ୮,୨୦୧୯: ଜନ୍ମସ୍ଥାନକୁ ଏକ ଆଇନ ସମ୍ବନ୍ଧୀୟ ବ୍ୟକ୍ତିଭା‌ବେ ଗ୍ରହଣ କରାଯାଇ ପାରିବ କି ବୋଲି ସୁପ୍ରିମ୍ କୋର୍ଟ ପ୍ରଶ୍ନ କରିଥିଲେ।

ଅଗଷ୍ଟ ୯,୨୦୧୯: ଅଗଷ୍ଟ ୯ ତାରିଖ ଶୁକ୍ରବାର ଥିଲା। ଏହି ଦିନ ସାଧାରଣତଃ ସୁପ୍ରିମ୍ କୋର୍ଟରେ ନୂଆ ମାମଲାର ବିଚାର ଆରମ୍ଭ ହୋଇଥାଏ। କିନ୍ତୁ ଏହି ଦିନ ମଧ୍ୟ ସୁପ୍ରିମ କ‌ୋର୍ଟ ଅଯୋଧ୍ୟା ବିବାଦର ଶୁଣାଣି କରିଥିଲେ। ଏହାପରେ ମୁସଲିମ୍ ପକ୍ଷର ଆଇନଜୀବୀ ରାଜୀବ ଧାୱନ କହିଥିଲେ ଏତେ ତରବରିଆ ଭାବେ ଶୁଣାଣି କରାଗଲେ ସେ ସହଯୋଗ କରିବାକୁ ସକ୍ଷମ ହେ‌‌ବେ ନାହିଁ।

ଅଗଷ୍ଟ ୧୩, ୨୦୧୯: ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଥିଲେ, ସୁପ୍ରିମ କୋର୍ଟ ତରବର ନାହାନ୍ତି। ଆଇନଜୀବୀମାନେ ଶ୍ବାସରୁଦ୍ଧ ଅନୁଭବ କରିବା ଉଚିତ ନୁହେଁ। ସେମାନେ ସେମାନଙ୍କ ହୃଦୟରୁ ଯୁକ୍ତି ବାଢ଼ି ପାରିବେ।

ଅଗଷ୍ଟ ୧୪,୨୦୧୯: ସମ୍ବିଧାନ ପୀଠର ବିଚାରପତିମାନେ ହିନ୍ଦୁପକ୍ଷକୁ ଏକାଧିକ ପ୍ରଶ୍ନ ପଚାରିଥିଲେ। ପ୍ରଥମ ମୋଗଲ ସମ୍ରାଟ ବାବର ମସଜିଦ୍ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିବା ସମ୍ପର୍କିତ ପ୍ରମାଣର କିଛି ରେକର୍ଡ ଅଛି କି ବୋଲି ପଚାରିଥିଲେ। ୧୯୯୨ ମସିହା ଡିସେମ୍ବର ୬ ତାରିଖରେ କର ସେବକମାନେ ଭାଙ୍ଗି ଦେଇଥିବା ଢାଞ୍ଚାକୁ କେବେଠାରୁ ବାବ୍‌ରି ମସଜିଦ୍ କୁହାଯାଇଥିଲା। ଅଯୋଧ୍ୟା ଏବଂ ବିବାଦୀୟ ଜମି ବୌଦ୍ଧ, ଜୈନ ଏବଂ ଇସଲାମ ଧର୍ମାବଲମ୍ବୀଙ୍କ ଏକ ମିଳିନ ସ୍ଥଳ ଥିବା ନେଇ ‌ଇତିହାସ କହୁଛି ବୋଲି ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଥିଲେ।

ଅଗଷ୍ଟ ୧୮, ୨୦୧୯: ହିନ୍ଦୁମାନଙ୍କ ପୂରାତନ ମନ୍ଦିରର ଭଗ୍ନାବଶେଷ ଉପରେ ବାବ୍‌ରି ମସଜିଦ ନିର୍ମାଣ ହୋଇଛି ବୋଲି ଯେଉଁ ଦାବି କରାଯାଉଛି ତାହାର ପ୍ରମାଣ ଦେବାକୁ ସୁପ୍ରିମ୍ କୋର୍ଟ ହିନ୍ଦୁ ପକ୍ଷକୁ କହିଥିଲେ। ଦୀର୍ଘ ଦୁଇ ହଜାର ବର୍ଷ ଧରି ଏହା ଦେଖାଯାଉଛି ନଦୀକୂଳରେ ସଭ୍ୟତା ଉପରେ ସଭ୍ୟତା ଗଢ଼ି ଉଠିଛି। ପୂରାତନ ଢାଞ୍ଚା ଉପରେ ନୂଆ ନିର୍ମାଣ ହୋଇଛି। ବାବ୍‌ରି ମସଜିଦ୍ ତଳେ ଧାର୍ମିକ ପ୍ରତିଷ୍ଠାନ ରହିଥିବା ନେଇ ପ୍ରମାଣ ଅଛି କି ବୋଲି ଖଣ୍ଡପୀଠ ପଚାରିଥିଲେ।

ଅଗଷ୍ଟ ୨୦,୨୦୧୯: ଆଇନଜୀବୀ ବୈଦ୍ୟନାଥନ କହିଥିଲେ, ସେଠାରେ ଏକ ପଥର ସ୍ଲାବ ଥିଲା। ଏଥିରେ ସଂସ୍କୃତ ଭା‌ଷାରେ ଲେଖା ଥିଲା। ଦ୍ବାଦଶ ଶତାବ୍ଦୀର ବିଷ୍ଣୁ ମନ୍ଦିର ସମ୍ପର୍କରେ ଏହି ଲେଖା ଲେଖାଯାଇଥିଲା। ରାମ ଭଗବାନ ବିଷ୍ଣୁଙ୍କ ମାନବ ରୂପ ଥିଲେ ବୋଲି ବିଶ୍ବାସ ରହିଛି। ସେହିଭଳି ସେଠାରେ ଥିବା ଅନେକ କଳାକୃତି ଏବଂ ସାମଗ୍ରୀରୁ ଏହା ରାମଙ୍କ ଜନ୍ମସ୍ଥଳୀ ଥିବାର ପ୍ରମାଣ ଆଇନଜୀବୀ ବୈଦ୍ୟନାଥନ କହିଥିଲେ।

ଅଗଷ୍ଟ ୨୧, ୨୦୧୯: ମନ୍ଦିର ଦାବିର ବର୍ତ୍ତମାନ ପ୍ରମାଣ ଦାଖଲ କରିବାକୁ ସୁପ୍ରିମ କୋର୍ଟ ଆଇନଜୀବୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅଗଷ୍ଟ ୨୨, ୨୦୧୯: ଅଯୋଧ୍ୟା ମାମଲାର ଅନ୍ୟତମ ଆବେଦନକାରୀ ଗୋପାଳ ସିଂହ ବିଶାରଦ କହିଥିଲେ, ଶହ ଶହ ବର୍ଷ ଧରି ରାମଙ୍କ ଜନ୍ମସ୍ଥାନ ବୋଲି ବିଶ୍ବାସ ରହିଥିବା ସ୍ଥାନରେ ହିନ୍ଦୁମାନେ ବିନା ବାଧା ଓ ବନ୍ଧନରେ ପ୍ରାର୍ଥନା କରିପାରିବେ। ବିଶାରଦଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର କହିଥିଲେ, ମୁସଲମାନ ପକ୍ଷଙ୍କ ଦ୍ବାରା ଅନେକ ଶପଥପାଠ ରହିଛି ଯେଉଁଥି‌ରେ ଷୋଡ଼ଶ ଶତାବ୍ଦୀରେ ବାବ୍‌ରି ମସଜିଦ ନିର୍ମାଣ ପାଇଁ ସେଠାରେ ମନ୍ଦରି ଭଙ୍ଗା ଯାଇଥିବାର ପ୍ରମାଣ ରହିଛି। ରାମ ଜନ୍ମଭୂମିରେ ମସଜିଦ ନିର୍ମାଣ ସତ୍ତ୍ବେ ହିନ୍ଦୁମାନଙ୍କର ବିଶ୍ବାସ ଅତୁଟ ରହିଛି ବୋଲି କୁମାର କହିଥିଲେ।

ଅଗଷ୍ଟ ୨୩, ୨୦୧୯: ସୁପ୍ରିମ କୋର୍ଟ ନିର୍ମୋହି ଆଖଡ଼ାକୁ ପଚାରିଥିଲେ ରାଜଜନ୍ମ ଭୂମିକୁ ନେଇ ତାହାର ପୃଥକ୍ ଦାବି ରହିବ କି? ଆଖଡ଼ାର କୌଣସି ପୃଥକ ଦାବି ନାହିଁ। ଯଦି ରାମ ଲାଲାଙ୍କ ଦାବି ଖାରଜ ହୋଇଯାଏ ତାହେଲେ ନିର୍ମୋହୀ ଆଖଡ଼ାର ଦାବି ମଧ୍ୟ ରହିବ ନାହିଁ।

ଅଗଷ୍ଟ ୨୭,୨୦୧୯: ରାମ ଲାଲା ପକ୍ଷରୁ ଦାଖଲ କରାଯାଇଥିବା ସ୍ବତନ୍ତ୍ର ଆବେଦନକୁ ବିରୋଧ ଅଭିଯୋଗରୁ ନିର୍ମୋହି ଆଖଡ଼ା ଓହରିଲା।

ଅଗଷ୍ଟ ୨୮,୨୦୧୯: ଅଯୋଧ୍ୟାରେ ବାବ୍‌ରି ମସଜିଦ୍‌ର ନିର୍ମାଣ ମୋଗଲ ସମ୍ରାଟ ବାବର କରି ନ ଥାଇ ପାରନ୍ତି ବୋଲି କୋର୍ଟଙ୍କୁ ସୂଚନା ଦିଆଯାଇଥିଲା। ରାମ ଜନ୍ମଭୂମି ପୁନରୁଦ୍ଧାର ସମିତି ପକ୍ଷରୁ ଆଇନଜୀବୀ ପି ଏନ ମିଶ୍ର କହିଥିଲେ ଆଇନ-ଇ-ଆକବରୀ, ହୁମାୟୁନ ନାମା ଏବଂ ତୁଜୁକ-ଏ-ଜାହାଙ୍ଗୀରରେ ବାବର ଏହି ମସଜିଦ ନିର୍ମାଣ କରିଥିବାର କୌଣସି ଉଲ୍ଲେଖ ନାହିଁ।

ସେପ୍ଟେମ୍ବର ୩, ୨୦୧୯: ୧୯୪୯ ମସିହା ଡିସେମ୍ବର ୨୨-୨୩ ତାରିଖ ମଧ୍ୟରାତ୍ରିରେ ବାବ୍‌ରି ମସଜିଦ ପରିସରରେ ମୂର୍ତ୍ତି ସ୍ଥାପନ କରାଯିବା ଏକ ‌ଗୁପ୍ତ ଆକ୍ରମଣ ଥିଲା ବୋଲି ବରିଷ୍ଠ ଆଇନଜୀବୀ ରାଜୀବ ଧାୱାନ ସୁନ୍ନି ୱାକଫ୍ ବୋର୍ଡ ପକ୍ଷରୁ ମାମଲା ପରିଚାଳନା କରିବାବେଳେ ଦାବି କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏଥିପାଇଁ କିଭଳି ଚିନ୍ତାବ୍ୟକ୍ତ କରିଥିଲେ ସେ ତାହାର ଦସ୍ତାବିଜ୍‌ ଉପସ୍ଥାପନ କରିଥିଲେ।

ସେପ୍ଟେମ୍ବର ୧୩,୨୦୧୯: ପୁରାତନ ସମୟରୁ ହିନ୍ଦୁମାନଙ୍କର ଏହି ଜନ୍ମସ୍ଥାନ ଉପରେ ବିଶ୍ବାସ ରହିଥିଲା ବୋଲି ଆଇନଜୀବୀ ରାଜୀବ ଧାୱନ ପ୍ରଶ୍ନ ଉଠାଇବା ପରେ ବିଚାରପତି ଚନ୍ଦ୍ରଚୂଡ଼ ଶ୍ରୀ ଧାୱନଙ୍କୁ କହିଥିଲେ ମୂର୍ତ୍ତି କିମ୍ବା ଜନ୍ମସ୍ଥାନ ଏକ ନ୍ୟାୟସମ୍ବନ୍ଧିତ ପ୍ରସଙ୍ଗ ବୋଲି କିଭଳି ଗ୍ରହଣ କରାଯିବ‌ ସେ ବିଷୟରେ ଆଲୋକପାତ କରିବାକୁ କହିଥିଲେ।

ସେପ୍ଟେମ୍ବର ୧୬,୨୦୧୯: ସୁପ୍ରିମ କୋର୍ଟ ରେଜିଷ୍ଟ୍ରିକୁ ପଚାରିଥିଲେ ଅଯୋଧ୍ୟା ମାମଲାର ଲାଇଭ ଷ୍ଟ୍ରିମିଂ ପାଇଁ ଯଦି ‌ଅଦାଲତ ଅନୁମତି ଦିଅନ୍ତି ତାହେଲେ ଏଥିପାଇଁ ବ୍ୟବସ୍ଥା କରିବାକୁ କେତେଦିନ ସମୟ ଲାଗିବ।

ସେପ୍ଟେମ୍ବର ୧୭,୨୦୧୯: ମୁସଲମାନ ପକ୍ଷକୁ ସୁପ୍ରିମ କୋର୍ଟ ପ୍ରଶ୍ନ କରିଥିଲେ, ଦୁଇ ପଟେ ସିଂହ ଥାଇ ଗରୁଡ଼, ସ୍ତମ୍ଭରେ ପଦ୍ମଫୁଲ ଏବଂ ଦ୍ବାରପାଳ ଆଦି ଗୋଟିଏ ମସଜିଦର ବିଶେଷତ୍ବ ନୁହେଁ।

ସେପ୍ଟେମ୍ବର ୧୮, ୨୦୧୯: ସମ୍ବିଧାନ ପୀଠରେ ଶୁଣାଣି ଅକ୍ଟୋବର ୧୮ରେ ଶେଷ ହେବା ନେଇ ବିଚାରପତି ସୂଚନା ଦେବା ସହିତ ମଧ୍ୟସ୍ଥତା କମିଟି ଉଭୟ ପକ୍ଷ ସହିତ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଅନୁମତି ଦେଇଥିଲେ।

ସେପ୍ଟେମ୍ବର ୨୦, ୨୦୧୯: ମାମଲାର ଶୁଣାଣି ଅକ୍ଟୋବର ୧୮ ସୁଦ୍ଧା ସାରିବାକୁ ପ୍ରଧାନ ବିଚାରପତି ଗୋଗଇ ଆଇନଜୀବୀମାନଙ୍କୁ କହିଥିଲେ।

ସେପ୍ଟେମ୍ବର ୨୩,୨୦୧୯: ରାଜ ଜନ୍ମଭୂମିରେ ହିନ୍ଦୁମାନଙ୍କ ବିଶ୍ବାସ ଲାଗି ରହିଛି। ସେହି ବିଶ୍ବାସକୁ ଆଘାତ ଦେବା କଷ୍ଟକର। ସେହିଦିନ ମାମଲାର ଶୁଣାଣି ଯଦିଓ ମଧ୍ୟାହ୍ନ ୧୨ଟାରେ ସରିଥିଲା ତେବେ‌ ପରବର୍ତ୍ତୀ ତାରିଖରୁ ଶୁଣାଣି ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ।

ସେପ୍ଟେମ୍ବର ୨୪,୨୦୧୯: ମୁସଲମାନ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା ବାହ୍ୟ ଅଗଣାରେ ରାମଙ୍କ ଜନ୍ମ ହୋଇଥିବାରୁ ସେଠାରେ ହିନ୍ଦୁମାନେ ଉପାସନା କରନ୍ତି। ତେଣୁ ବାବ୍‌ରି ମସଜିଦର ଠିକ୍ ଭିତରେ ରାମଙ୍କ ଜନ୍ମସ୍ଥାନ ନୁହେଁ ବୋଲି କୁହାଯାଇଥିଲା। ବାହ୍ୟ ଅଗଣାଟି ମସଜିଦଠାରୁ ଖୁବବେଶୀରେ ୫୦ରୁ ୮୦ ମିଟର ଦୂର ବୋଲି ଜିଲାନି କହିଥିଲେ।

ସେପ୍ଟେମ୍ବର ୨୫,୨୦୧୯: ବାବ୍‌ରି ମସଜିଦରେ ଏଏସଆଇ ପକ୍ଷରୁ ୨୦୦୩ ମସିହାରେ ହୋଇଥିବା ଖନନ କାର୍ଯ୍ୟର ରିପୋର୍ଟକୁ ମୁସଲମାନ ପକ୍ଷ ବିରୋଧ କରିଥିଲେ। ତେବେ ଏଏସଆଇ ରିପୋର୍ଟକୁ ବିରୋଧ ଅତ୍ୟନ୍ତ ବିଳମ୍ବ ବୋଲି କୋର୍ଟ କହିଥିଲେ।

ସେପ୍ଟେମ୍ବର ୨୬, ୨୦୧୯: ବାବ୍‌ରି ମସଜିଦ ସ୍ଥଳ ବିବାଦ ସମ୍ପର୍କରେ କୋର୍ଟକୁ ବିଶେଷଜ୍ଞଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ବିଚାରପତି ବୋବଡେ କହିଥିଲେ।

ସେପ୍ଟେମ୍ବର ୩୦,୨୦୧୯: ବିବାଦୀୟ ଜମି ଏକ ଦିବ୍ୟ ସ୍ଥାନ ବୋଲି ହିନ୍ଦୁମାନେ କାହିଁକି ଦାବି କରୁଛନ୍ତି ବୋଲି କୋର୍ଟ ହିନ୍ଦୁ ପକ୍ଷ ଓକିଲଙ୍କୁ ପଚାରିଥିଲେ।

ଅକ୍ଟୋବର ୧୪, ୨୦୧୯: ଭଗବାନ ରାମ ବାବ୍‌ରି ମସଜିଦର କେନ୍ଦ୍ରୀୟ ଗମ୍ବୂଜରେ ଜନ୍ମ ହୋଇଥିଲେ ବୋଲି ରହିଥିବା ବିଶ୍ବାସ ଆଧାରରେ ହିନ୍ଦୁମାନଙ୍କୁ ଜମିର ମାଲିକାନା ଦିଆଯାଇ ପାରିବ ନାହିଁ ବୋଲି ଆଇନଜୀବୀ ଧାୱନ କହିଥିଲେ।

ଅକ୍ଟୋବର ୧୬,୨୦୧୯: ଅଯୋଧ୍ୟା ମାମଲାର ‌ଶୁଣାଣି ‌ଶେଷ ହୋଇଥିଲା ଏବଂ ଅଯୋଧ୍ୟା ମଧ୍ୟସ୍ଥତା କମିଟି ପକ୍ଷରୁ ଦସ୍ତାବିଜ୍‌ ଦାଖଲ ହୋଇଥିଲା।

ସମ୍ବନ୍ଧିତ ଖବର